ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି । ଏହି ୪ ଜଣଙ୍କ ମଧ୍ୟରୁ ଅନୁଗୁଳର ଡେପୁଟି କଲେକ୍ଟର ଶ୍ରୀ ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍ସ କରାଯାଇଛି। ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନୂଆପଡାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ନିକଟରେ ବହୁ ପରିମାଣରେ ହିସାବ ବହିର୍ଭୁତ ଟଙ୍କା ମିଳିଥିଲା ଏବଂ ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା । ଗଜପତି ଜିଲ୍ଲାର ନୂଆଗଡ ତହସିଲଦାର ଶ୍ରୀ ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ତାଙ୍କ ବିରୋଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍ସ କରାଯାଇଛି। କାର୍ଯ୍ୟ କ୍ଷେତ୍ରରେ ଅପାରଗ ଥିବା ସହିତ ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ। ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଢେଙ୍କାନାଳର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଶ୍ରୀ ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି । ତା ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍ସ ମଧ୍ୟ ରହିଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0