କଂଗ୍ରେସ ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିଏମ ଇବ୍ରାହିମ
ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ରାଜନୀତିକ ଦଳ କଂଗ୍ରେସରେ ଏବେ ଦଳ ଡିଆଁ ପର୍ବ ଜାରି ରହିଛି। ପୂର୍ବରୁ ଏକାଧିକ ବରିଷ୍ଠ ନେତା ଦଳ ଛାଡ଼ିଥିବା ବେଳେ ଏବେ ଆଉ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମାନ ପଦକ୍ଷେପ ନେଇଛନ୍ତି। କଂଗ୍ରେସ କ୍ଷମତାକୁ ଫେରିବାକୁ ବ୍ୟାକୁଳ ହେଉଥିବା ବେଳେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଦଳ ଛାଡ଼ିବା ଦଳୀୟ ହାଇକମାଣ୍ଡଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି। କଂଗ୍ରେସ ଛାଡ଼ିଥିବା ଇବ୍ରାହିମ କର୍ଣ୍ଣାଟକାର ଜଣେ ଟାଣୁଆ ନେତା। ସେ ବିଧାନ ପରିଷଦର ବିରୋଧୀ ଦଳ ନେତା ଭାବେ କାର୍ୟ୍ୟ କରିବାକୁ ଚାହୁଁଥିଲେ। ହେଲେ ଦଳ ତାଙ୍କୁ ଅଣଦେଖା କରି ବିକେ ହରିପ୍ରସାଦଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି। ଏଥିପାଇଁ ଇବ୍ରାହିମ କଂଗ୍ରେସରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।
ଇବ୍ରାହିମ କହିଛନ୍ତି, “ଏଆଇସିସି ସଭାପତି ସୋନିଆ ଗାନ୍ଧି ମୋ ଉପରେ ରହିଥିବା ଚାପରୁ ମୋତେ ମୁକ୍ତ କରିଥିବାରୁ ମୁଁ ବହୁତ ଖୁସି। ଏବେ ମୁଁ ମୁକ୍ତ ଭାବେ ମୋର ନିଷ୍ପତ୍ତି ନେଇ ପାରିବି। ମୁଁ ଖୁବଶୀଘ୍ର ମୋର ଶୁଭେଚ୍ଛୁ ମାନଙ୍କ ସହ ଆଲୋଚନା କରିବି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିବି। ଏଠାରେ କଂଗ୍ରେସ ମୋ ପାଇଁ ଗୋଟିଏ ବନ୍ଦ ଅଧ୍ୟାୟ। କଂଗ୍ରେସ ନିଜକୁ ନିଜେ ଧ୍ୱଂସ କରୁଛି। ଟଙ୍କା ନଥିଲେ କଂଗ୍ରେସରେ କାମ କରିପାରିବା ବେଶ କଷ୍ଟ। ଇନ୍ଦିରା ଗାନ୍ଧି ଓ ନେହରୁଙ୍କ ବେଳେ କଂଗ୍ରେସ ଗୋଟିଏ ସମାଜବାଦ ପାର୍ଟି ଭାବେ କାର୍ୟ୍ୟ କରୁଥିଲା। କିନ୍ତୁ ଏବେ କଂଗ୍ରେସ ‘ଲେନା ବ୍ୟାଙ୍କ’ରେ ପରିଣତ ହୋଇଛି। କଂଗ୍ରେସ କର୍ଣ୍ଣାଟକାରେ ହାରିବ। ରାଜ୍ୟରେ ଦଳ ବୁଡ଼ିବ।”
ବୁଧବାର କଂଗ୍ରେସ ବିକେ ହରିପ୍ରସାଦଙ୍କୁ କର୍ଣ୍ଣାଟକା ବିଧାନ ପରିଷଦର ବିରୋଧୀ ଦଳ ନେତା ଭାବେ ନିଯୁକ୍ତି ଦେଇଛି। ଏସ୍ଆର ପାଟିଲ ଅବସର ନେବା ପରେ ଏହି ପଦ ଖାଲି ପଡ଼ିଥିଲା। କଂଗ୍ରେସର ଏପରି ନିଯୁକ୍ତିକୁ ଇବ୍ରାହିମ ବିରୋଧ କରିଛନ୍ତି। ସେ କହିଛନ୍ତି, “ବିକେ ହରି ପ୍ରସାଦ ଜଣେ ଜୁନିୟର ନେତା। ମୁଁ କେମିତି ତାଙ୍କ ଅଧୀନରେ କାମ କରିବି?” ମୁଁ ଦେବଗୌଡ଼ାଙ୍କ ଭଳି ନେତାଙ୍କୁ ଛାଡ଼ି କଂଗ୍ରେସରେ ମିଶିଥିଲି। ସିଦ୍ଧରମୈୟାଙ୍କ ପାଇଁ ମୁଁ ସବୁ କିଛି କରିଥିଲି। ହେଲେ ସେ ମୋ ସହ କ’ଣ କଲେ?
ଇବ୍ରାହିମ ୧୯୯୬ରେ ଏଚଡି ଦେବଗୌଡ଼ାଙ୍କ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଓ ପର୍ୟ୍ୟଟନ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ। ରାଜ୍ୟର ଯେଉଁମାନେ ମୋତେ ଭଲ ପାଆନ୍ତି ଓ ସମର୍ଥନ କରନ୍ତି, ସେମାନେ କଂଗ୍ରେସକୁ ଉଚିତ ଜବାବ ଦେବେ। କଂଗ୍ରେସ ଛାଡ଼ିଥିବା ଇବ୍ରାହିମ ଜେଡିଏସ୍ରେ ହିଁ ମିଶିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ୍ ସିଂହ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0