ତୁମ ପରି ଛୋଟ ପିଲାଟିଏ , ଗାଁ ଚାହାଳିର ଚାଟ ସିଏ । ଚେହେଳାଟି ତାର ଡଉଲ ଡାଉଲ ବୃଦ୍ଧିରେ ତାର ସରି କିଏ । ହଁ ଏଇ କୁନି ପିଲାଟିର ବିଚକ୍ଷଣ ବୃଦ୍ଧି ଦେଖିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଗୀତଟି ମନେ ପଡିଯାଏ । ଭଲ ଭାବେ ପାଟି ଫିଟିନି ହେଲେ ଯାହା ପଚାରିଲେ ପାଟିରୁ ବାହାରୁଛି ଫଟାଫଟ୍ ଉତ୍ତର । ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ସାଉଁଟିଛନ୍ତି ଜାତୀୟ ସ୍ତରୀୟ ସଫଳତା । ମାତ୍ର ୩ ବର୍ଷ ବୟସରେ ପ୍ରତିଭା ଦେଖାଇଛନ୍ତି ଭୁବନେଶ୍ୱରର ସାଇ ସ୍ୱରାଜ ବେହେରା । ନିଜ ବିଚକ୍ଷଣ ଧୀଶକ୍ତି ଯୋଗୁଁ ହୋଇଛନ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଅଧିକାରୀ ।କଅଁଳ ମନ ମୁହଁରେ ତାଙ୍କର ଦେଶ ବିଦେଶର ସାଧାରଣ ଜ୍ଞାନ । ଖନେଇ ଖନେଇ ପାଟିରେ କହିପକାଉଛନ୍ତି ସମସ୍ତ ରାଜ୍ୟ ,ଦେଶର ରାଜଧାନୀ, ମନ୍ତ୍ରୀ , ବିଶେଷ ବ୍ୟକ୍ତିତ୍ୱ ଓ ପଶୁପକ୍ଷୀଙ୍କ ଉପରେ ପଚରାଯାଉଥିବା ସବୁ ପ୍ରଶ୍ନର ଉତ୍ତର । ଖୁବ କମ୍ ବୟସରୁ ଯାହା କିଛି କହିଲେ ମନେ ରଖୁଥିଲେ ସାଇ ସ୍ୱରାଜ । ପୁଅର ଏଭଳି ଧୀଶକ୍ତିକୁ ଲକ୍ଷ୍ୟ କରିଥିଲେ ବାପା, ମା’ । ଏହାକୁ ଗୁରୁତ୍ୱ ଦେଇ କିଛି ସାଧାରଣ ଜ୍ଞାନ ଶିଖାଇବାକୁ ଚେଷ୍ଟା କରିଥିଲେ ମା’ ସୀତାରାଣୀ ବେହେରା । ବାପା ମା ଙ୍କ ଚେଷ୍ଟା ଓ ପୁଅର ଆଗ୍ରହ ଆଜି ସଫଳତା ଆଣିଦେଇଛି । ଦୁନିଆକୁ ଭଲ ଭାବରେ ଦେଖିନଥିବା ବୁଝିନଥିବା କୁନିପୁଅର କଥା ସମସ୍ତଙ୍କ ମନ କିଣି ନେଉଛି । ବଡ ହେଲେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ସହ ଏପରି କିଛି କରିବେ ବୋଲି କହିଛନ୍ତି ଏହି କୁନି ପୁଅ । ଭବିଷ୍ୟତରେ ପୁଅ ଜଣେ ଭଲ ମଣିଷ ହେବା ସହ ରାଜ୍ୟର ନାଁ ରଖୁ ଏହି ଆଶା ରଖିଛନ୍ତି ସାଇ ସ୍ୱରାଜଙ୍କ ପରିବାର ।



Visitors Today : 0
Total Visitors : 129938
Total Views : 9891292
Visitors Online Now : 0