ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଏବେ ସମୁଦ୍ର ଆଁରେ। ଶିଆଳି ନିକଟରେ ସମୁଦ୍ର ତାଣ୍ତବ ରଚୁଛି। ବାରମ୍ବାର କୂଳ ଲଂଘୁଛି। ଗତ ସପ୍ତାହରେ ଶିଆଳି ବେଳାଭୂମି ପର୍ଯ୍ୟନ୍ତ ସମୁଦ୍ର ଜୁଆର ମାଡ଼ିଆସି କଳାବେଦି ନିକଟରେ ଏକ ମୁହାଣ ସୃଷ୍ଟି କରିଛି। ଗାଁ ଭିତରକୁ ଜୁଆର ମାଡ଼ି ଯିବା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କଳାବେଦି ନିକଟରେ ଏକ ୨୦ ଫୁଟ୍ର ଘାଇ ଆଗକୁ ବଡ଼ ବିପର୍ଯ୍ୟୟର ଆଭାସ ଦେଉଛି।
୨୦୦୭ରେ ଶିଆଳି ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆଯିବା ସହ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯାଇଥିଲା। ବେଳାଭୂମି ନିକଟରେ ଥିବା ଏକ ଭିଉ ଟ୍ୟୁବ୍କୁ ରକ୍ଷା କରିବା ପାଇଁ ବାଲି ବସ୍ତା ପକାଯାଇ ଏକ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ସମୁଦ୍ର ଜୁଆର ମାଡ଼ରେ ଏହି ବନ୍ଧ ଧୀରେ ଧୀରେ ଖାଇଗଲା। ଫଳରେ ସମୁଦ୍ର ଜୁଆର ଆସି ଏହି ଟ୍ୟୁବ୍କାନ୍ଥରେ ମାଡ଼ ହେଲା। ପୁଣି ଜଳ ସମ୍ପଦ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ୫୦୦ ମିଟର ଏକ ପଥର ବନ୍ଧ ନିର୍ମାଣ କରାଗଲା। ଏବେ ତାହା ସମୁଦ୍ର ଜୁଆର ଓ ବାଲି ମାଡ଼ରେ ପୋତି ହୋଇଗଲାଣି। ପଥର ବନ୍ଧ ଶେଷ ଭାଗରୁ କଳାବେଦି ପର୍ଯ୍ୟନ୍ତ ସମୁଦ୍ରରେ ଅତଡ଼ା ଖସିବା ଆରମ୍ଭ କଲାଣି। ୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଏରସମା ପ୍ରତି କେତେବେଳେ ଯେ ଏହି ସମୁଦ୍ର ଦାଉ ସାଧିବ, ତାହା କହିହେବ ନାହିଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0