କୋଣାର୍କ: ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କ ପରିଦର୍ଶନ ପାଇଁ ବିଭିନ୍ନ ସମୟରେ ଆସୁଥିବା କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ନେତୃତ୍ବ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ହେଲିକ୍ୟାପ୍ଟର୍ ଅବତରଣ ଲାଗି କୋଣାର୍କରେ ଏକ ହେଲିପ୍ୟାଡ୍ ରହିଛି। ଗତ କିଛିବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ହେଲିପ୍ୟାଡ୍ ମିନି ଏୟାରପୋର୍ଟ ତାଲିକାରେ ସ୍ଥାନିତ ହୋଇଥିବାର ଜଣାପଡ଼େ। ଏତଦବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହେଲିପ୍ୟାଡ୍ରେ ଅବତରଣ କରିବା ପରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିବା ନଜର ରହିଛି। ସବୁବର୍ଷ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ଆୟୋଜିତ ହେଉଥିବା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀ ସମୟରେ କୋଣାର୍କ ଏନ୍ଏସି କର୍ତ୍ତୃପକ୍ଷ ହେଲିପ୍ୟାଡ୍କୁ ପ୍ଲଟିଂ କରି ମୀନାବଜାର ବ୍ୟବସାୟୀଙ୍କୁ ବଣ୍ଟନ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ଏହି ହେଲିପ୍ୟାଡ୍ର ରକ୍ଷଣାବେକ୍ଷଣ ନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସ୍ଥାନୀୟ ଅଧିକାରୀମାନେ ବୈମାତୃକ ମନୋଭାବ ପୋଷଣ କରୁଥିବାର ଦେଖାଯାଇଛି।
ନା ପୂର୍ତ୍ତ ବିଭାଗ ନା ରାଜସ୍ବ ବିଭାଗ ନା ଏନ୍ଏସି କର୍ତ୍ତୃପକ୍ଷ କୌଣସି ବିଭାଗ ମଧ୍ୟ ଏହି ହେଲିପ୍ୟାଡ୍ର ସୁରକ୍ଷା ଦିଗରେ ଦୃଷ୍ଟି ଦେଉନାହାନ୍ତି। ଫଳରେ ହେଲିପ୍ୟାଡ୍ରୁ ପ୍ରତ୍ୟେକ ଦିନ ରାତିରେ ଶହ ଶହ ଟ୍ରିପ୍ ବାଲି ଚୋରାଚାଲାଣ ହେଉଛି। ସ୍ଥାନୀୟ ଲୋକଙ୍କ ବାରମ୍ଭାର ଅଭିଯୋଗ ସତ୍ତ୍ବେ ଏନ୍ଏସି, ତହସିଲ କିମ୍ବା ଜିଲ୍ଲା ପ୍ରଶାସନ କାହା ପକ୍ଷରୁ ମଧ୍ୟ ଏହି ବେଆଇନ ବାଲି ଚୋରାଚାଲାଣ ପାଇଁ ପଦକ୍ଷେପ ନିଆଯାଉନାହିଁ। ନିୟମିତ ଭାବେ ଶହଶହ ଟ୍ରିପ୍ ବାଲି ଚୋରାଚାଲାଣ ଫଳରେ ଏବେ କୋଣାର୍କ ହେଲିପ୍ୟାଡ୍ ଅସରାଏ ବର୍ଷାରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଯଦି ଆଉ କିଛି ଦିନ ଧରି ଏହି ବାଲି ଚୋରାଚାଲାଣ ଜାରି ରୁହେ ତେବେ ହେଲିପ୍ୟାଡ୍ ତାର ଅସ୍ତିତ୍ବ ହରାଇବ। ବାଲି ମାଫିଆ , ଅସାଧୁ ଟ୍ରାକ୍ଟର୍ ମାଲିକ ଓ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ମେଣ୍ଟ ପାଇଁ ଏହି ବେଆଇନ ବାଲି ଚୋରାଚାଲାଣ ବେଧଡ଼କ ଭାବେ ଚାଲୁଥିବା ଅଭିଯୋଗ ହେଉଛି। ଏ ଦିଗରେ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ ଏହି ବେଆଇନ ବାଲି ଚୋରାଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0