କଟକ: କରୋନାରେ ଆକ୍ରାନ୍ତ ହୋଇ ଏସ୍ସିବି ଆଇସୋଲେସନ୍ ୱାର୍ଡ ଆଇସିୟୁରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଖି ବୁଜିଥିଲେ କରୋନା ଯୋଦ୍ଧା । ପୁଅର ମୃତ୍ୟୁ ଖବର ପାଇ ମାଆ ଟଳି ପଡ଼ିଛନ୍ତି । ଏସିବି ଡାକ୍ତରଖାନାରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କର ଏପରି ଦୁଃଖଦ ମୃତ୍ୟୁକୁ ନେଇ ଏସିବି କର୍ମଚାରୀମାନେ ମ୍ରିୟମାଣ ହୋଇପଡିଛନ୍ତି ।
ମିଳିଥିବା ସୂଚନାନୁସାରେ, ଏସ୍ସିବି କର୍ମଚାରୀ ଟିକନ ଓରଫ ନୃସିଂହ ଦାସଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଥିଲା। ପରେ ତାଙ୍କ ପରଲୋକ ଖବର ପାଇ ମାଆ ଶଶି ଦାସ(୭୨) ସଂଜ୍ଞାହୀନ ହୋଇପଡିଥିଲେ। ଅନ୍ୟପଟେ ମୃତ କରୋନା ଯୋଦ୍ଧାଙ୍କ ବାପା ନିଧି ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିଥିବା ଖବର ମିଳିଛି। ସେ ମଧ୍ୟ ଏସ୍ସିବିର ଜଣେ ଅବସରପ୍ରାପ୍ତ କର୍ମଚାରୀ । ତାଙ୍କ ଶାରୀରିକ ଅବସ୍ଥା ଭଲ ନଥିବା ଡାକ୍ତରଖାନା କର୍ମଚାରୀମାନେ କହିଛନ୍ତି। ଏସ୍ସିବି ବେହେରା କଲୋନୀ କ୍ୱାର୍ଟର୍ସରେ ରହୁଥିବା ନୃସିଂହ ଦାସ ଓ ତାଙ୍କ ପରିବାର ଲୋକେ ନିକଟରେ ଅସୁସ୍ଥ ହୋଇପଡିଥିଲେ। ମେଡିସିନ୍ ବିଭାଗ ଆଉଟ୍ଡୋର୍ରେ କାମ କରୁଥିବା ଟିକନ ଓରଫ ନୃସିଂହଙ୍କର ଜ୍ୱର ଭଲ ନହେବାରୁ ତାଙ୍କୁ ଏସ୍ସିବି ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।
କୋଭିଡ୍ ପରୀକ୍ଷାରେ ସେ କରୋନାରେ ସଂକ୍ରମିତ ହୋଇଥିବାର ରିପୋର୍ଟ ବାହାରିବା ପରେ ତାଙ୍କୁ ପ୍ରଥମେ ଆଇସୋଲେସନ୍ ୱାର୍ଡ ଏବଂ ପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କରୋନା ପଜିଟିଭ୍ ବାହାରିଥିବା ଟିକନଙ୍କର ଆଇସିୟୁରେ ଗତକାଲି ମୃତ୍ୟୁ ଘଟିଥିବା ଏସ୍ସିବି ଅଧୀକ୍ଷକ ପ୍ରଫେସର ପି. କେ. ନନ୍ଦ କହିଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ କରୋନା ଆକ୍ରାନ୍ତ ରୋଗୀଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ବୋଲି କୋଭିଡ୍ ନୋଡାଲ ଅଫିସର ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି । କରୋନା ପଜିଟିଭ ବାହାରିଥିବା ସମ୍ପୃକ୍ତ ଏସ୍ସିବି କର୍ମଚାରୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ମାତ୍ର ଅନ୍ୟ ସମସ୍ୟା ଥିବାରୁ ସେ ଗୁରୁତର ହୋଇପଡିଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରଫେସର ପଟ୍ଟନାୟକ ସୂଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0