ମାଲକାନଗିରି : ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ମୋବାଇଲ ସେବା। ପ୍ରାୟ ୩୦ହଜାର ଲୋକ ପ୍ରଥମ ପର୍ୟ୍ୟାଳୟରେ ଉପକୃତ ହୋଇଛନ୍ତି। ଏହା ସହ ସ୍ବାଭିମାନ ଅଞ୍ଚଳକୁ ଦୂରତା କମିବା ସହ ଲୋକଙ୍କ ପାଇଁ ଆଣିଛି ଅନେକ ଆଶା ଏବଂ ସମ୍ଭାବନା। ଗୁରୁପ୍ରିୟା ସେତୁ ଉଦ୍ଘାଟନ ପରେ ସରକାର ଶହେ କୋଟି ଟଙ୍କାର ବଡ଼ ପ୍ୟାକେଜ୍ ସ୍ବାଭିମାନ ଅଞ୍ଚଳ ପାଇଁ ଘୋଷଣା କରିଥିଲେ। ରାସ୍ତାଘାଟ ସହ ଉନ୍ନୟନ କାର୍ୟ୍ୟ ସବୁ ତ୍ବରାନ୍ବିତ ହୋଇପାରିଛି। ଏହିକ୍ରମରେ ଅଞ୍ଚଳବାସୀଙ୍କୁ ମୋବାଇଲ ସେବା ଯୋଗାଇ ଦେବାକୁ ଗତଦିନରେ ପୁଲିସ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଷଫିନ ଅହମ୍ମଦ ସ୍ବାଭିମାନ ଅଞ୍ଚଳରେ ଯେ କୌଣସି ପରିସ୍ଥିତିରେ ବି ମୋବାଇଲ ଟାୱାର ସ୍ଥାପନ କରିବାକୁ ପଦକ୍ଷେପ ନେଇଥିଲେ। ଏନେଇ ପ୍ରଥମେ ବିଏସ୍ଏନ୍ଏଲ ଏବଂ ଜିଓ କଂପାନି ସହ ଯୋଗାଯୋଗ କରିଥିଲେ। କିନ୍ତୁ ଉଭୟ କମ୍ପାନି ଏହି ଅଞ୍ଚଳରେ ସେବା ଯୋଗାଇ ଦେବାକୁ ରାଜି ହୋଇନଥିଲେ। ଏହାପରେ ଡିଆଇଜି ନିଜେ ଘରୋଇ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍ ମୁଖ୍ୟ କାର୍ୟ୍ୟାଳୟକୁ ଯୋଗାଯୋଗ କରିଥିଲେ। ନିରନ୍ତର ଉଦ୍ୟମ ପରେ କମ୍ପାନି କର୍ତ୍ତୃପକ୍ଷ ରାଜି ହେବାରୁ ୭ଟି ସ୍ଥାନରେ ଟାୱାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ ଚାରିଟି ସ୍ଥାନରେ କାମ ଶେଷ ହେବାପରେ ଆଜିଠାରୁ ସେବା ଆରମ୍ଭ ହୋଇଛି। ଯାହାଫଳରେ ଯଡ଼ାମ୍ବ, ହନ୍ତାଳଗୁଡ଼ା, ଜାନବାଇ ଏବଂ ଜନ୍ତାପାଇ ଅଞ୍ଚଳର ପ୍ରାୟ ୩୦ହଜାର ଲୋକ ମୋବାଇଲ ନେଟୱର୍କ ସହ ଯୋଡ଼ି ହୋଇଛନ୍ତି। ଆଗକୁ ଅତିଶୀଘ୍ର ଚିତ୍ରକୋଣ୍ଡା, ଡାଇକ-୩ ଏବଂ ଟନେଲ କ୍ୟାମ୍ପରେ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଜିଲ୍ଲା ପୁଲିସ ଏବଂ ଅର୍ଦ୍ଧସାମରିକ ବଳର ସୁରକ୍ଷା ବଳୟରେ ଏହି ମୋବାଇଲ ଟାୱାରଗୁଡ଼ିକ ରହିବ ବୋଲି ଜଣାପଡ଼ିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0