କଟକ: କୋଭିଡରେ ମୃତ ପୁଲିସ ଅଧିକାରୀ ଓ କର୍ମଚାରୀ ତାଙ୍କ ଅବଶିଷ୍ଟ ଚାକିରି କାଳର ସଂପୂର୍ଣ୍ଣ ଦରମା ପାଇବେ। ଏହା ତାଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ। ଏହାସହିତ ସରକାରଙ୍କ ଘୋଷଣା ଅନୁଯାୟୀ ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରାଯିବ। ଏଥିରେ ଯେଭଳି ବିଳମ୍ବ ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ। ରାଜ୍ୟରେ ଏବେ କୋଭିଡରେ ମୃତ ପୁଲିସ କର୍ମୀଙ୍କ ସଂଖ୍ୟ ୨୦ ଛୁଇଁ ଥିବ ବେଳେ ପୁଲିସ ଡିଜି ଅଭୟ ଜିଲ୍ଲାସ୍ତରର ପୁଲିସ ମୁଖ୍ୟଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଡିଜି ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଜି ଓ ଜିଲ୍ଲା ଏସ୍ପି, ଡିସିପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ କରିଥିଲେ। ରାଜ୍ୟରେ କରୋନା ସ୍ଥିତି ଯେଭଳି ଭୟଙ୍କର ହେଲାଣି ସେ ନେଇ ସାଧାରଣ କଟକଣା କିଭଳି କଡ଼ାକଡ଼ି କରାଯିବ, ସେ ସମ୍ପର୍କରେ ଡିଜି ଆଲୋଚନା କରିଥିଲେ। ପୁଲିସ କର୍ମଚାରୀଙ୍କ କଲ୍ୟାଣ କାର୍ୟ୍ୟକ୍ରମ ସହିତ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ ଏବଂ ମୃତ୍ୟୁ ପରେ ଅବଶିଷ୍ଟ ଚାକିରି ସମୟର ପୂର୍ଣ୍ଣ ଦରମା କିଭଳି ପ୍ରଦାନ କରାଯିବ, ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହିତ ରାଜ୍ୟରେ ଏବେ ଗଞ୍ଜେଇ ଚୋରାଚାଲାଣ ବ୍ୟାପକ ଭାବେ ବୃଦ୍ଧି ପାଇଥିବାରୁ ଫସଲ ନଷ୍ଟ ସହିତ ମାଫିଆଙ୍କୁ ଗିରଫଦାରି କଡ଼ାକଡ଼ି କରିବାକୁ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କନଷ୍ଟେବଳଙ୍କ ପଦୋନ୍ନତି ପ୍ରସଙ୍ଗରେ ବି ଆଲୋଚନା କରାଯାଇଛି। ରାଜ୍ୟରେ ଏବେ ଖୋଲିଥିବା ଅସ୍ଥାୟୀ ବିଟ୍ ହାଉସ୍ ଓ ଫାଣ୍ଡି ସମ୍ପର୍କରେ ବି ସମୀକ୍ଷା କରିଛନ୍ତି ଡିଜି। ଓଡ଼ିଶା ସ୍ବତନ୍ତ୍ର ସଶସ୍ତ୍ର ପୁଲିସ ବଳର ଉପଯୁକ୍ତ ବ୍ୟବହାର ଓ ମୁତୟନ ସମ୍ପର୍କରେ ବି ବୈଠକରେ ଆଲୋଚନା କରାଯାଇଥିଲା। ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ବିଚାରାଧୀନ ମାମଲା ଗୁଡ଼ିକୁ ତ୍ବରାନ୍ବିତ କରିବାକୁ ଡିଜି ଜିଲ୍ଲା ପୁଲିସ ମୁଖ୍ୟଙ୍କୁ କହିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0