ଭୁବନେଶ୍ୱର : କରୋନା ଯୋଗୁଁ ହୋଟେଲ୍ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। କର୍ମଚାରୀଙ୍କ ଦରମା, ବିଦ୍ୟୁତ ଦେୟ, ପରିଚାଳନା ଓ ଅନ୍ୟ ଖର୍ଚ୍ଚ ତୁଲାଇବା କାଠିକର ହୋଇଯାଇଛି। ୬ ମାସ ମଧ୍ୟରେ କାରବାର ଶୂନକୁ ଖସି ଆସିଥିବା ବେଳେ ଆସନ୍ତା ଦେଢ଼ ବର୍ଷ ପର୍ୟ୍ୟନ୍ତ ସାଧାରଣ ସ୍ତରକୁ ଆସିବାର ସମ୍ଭାବନା ନାହିଁ। ସ୍ଥିତି ସ୍ବାଭାବିକ ହେବା ବେଳକୁ ୪ବର୍ଷ ଲାଗିଯିବ ବୋଲି ହୋଟେଲ୍ ଆଣ୍ଡ୍ ରେସ୍ତୋରାଁ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ) ପକ୍ଷରୁ କୁହାଯାଇଛି। ନିକଟରେ ବିଭିନ୍ନ ଶିଳ୍ପ କ୍ଷେତ୍ର ଉପରେ କରୋନାର ପ୍ରଭାବ ଓ ସୁଧାର ଅନୁଧ୍ୟାନ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ କେ.ଭି କାମାଥଙ୍କୁ ନେଇ ଗଠିତ କମିଟି ସୁପାରିସ୍ କରିଛି ଯେ ୨୦୨୨ମସିହା ମଧ୍ୟରେ ହୋଟେଲ୍ ଶିଳ୍ପ କରୋନା ପୂର୍ବବର୍ତୀ କାରବାର ଲକ୍ଷ୍ୟ ହାସଲ କରିବ। ମାତ୍ର ହାରୋ ଏଥିରେ ସହମତ ହୋଇନାହିଁ। ହାରୋ ଆକଳନ କରିଛି ଯେ ୨୦୨୦-୨୧ ମଧ୍ୟରେ ୨୦ ପ୍ରତିଶତ କରୋନା ପୂର୍ବବତ୍ତୀ କାରବାର ଫେରିପାରିବ। ୨୦୨୧-୨୨ରେ ୪୦ ପ୍ରତିଶତ କାରବାର ଫେରିବ। ୨୦୨୨-୨୩ରେ ୬୦ ପ୍ରତିଶତ ଏବଂ ୨୦୨୩-୨୪ରେ ୮୦ ପ୍ରତିଶତ କାରବାର ଫେରିବ। ତେଣୁ ୪ବର୍ଷ ଯାଏ ହୋଟେଲ୍ ଶିଳ୍ପ ସ୍ଥିତି ସୁଧୁରିବା ଆଶା କ୍ଷୀଣ ବୋଲି ହାରୋ ପକ୍ଷରୁ କୁହାଯାଇଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ସ୍ଥିତିରେ ସୁଧାର ଆସିବାର ନାହିଁ। ତେଣୁ ହୋଟେଲ୍ ଶିଳ୍ପ ବଞ୍ଚି ରହିବା ଏବଂ ପୂର୍ବସ୍ଥିତିକୁ ଫେରିବା ପାଇଁ ଅଧିକ ସମୟର ମୋରାଟୋରିୟମ୍ ତଥା ଋଣ ସ୍ଥଗିତ ରଖାଯିବା ଆବଶ୍ୟକ ବୋଲି ହାରୋର ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି। କରୋନାକୁ ନେଇ ଲୋକଙ୍କ ମନରେ ଭୟ, ସରକାରୀ କଟକଣା, ମୁକ୍ତ ଯାତ୍ରାରେ ରୋକ୍ ଲାଗିଥିବାରୁ ଲୋକେ ହୋଟେଲ୍ ରହଣି ପାଇଁ ଆସିବେ ନାହିଁ। ହୋଟେଲ୍ ଉଦ୍ୟୋଗ ସ୍ଥିତିରେ ସୁଧାର ଆଣିବା ପାଇଁ ଅନ୍ତତଃ ୪ବର୍ଷ ପର୍ୟ୍ୟନ୍ତ ସମୟ ଦେବା ସହ ସହଯୋଗ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0