spot_img

ଆଇଟିଆଇକୁ ନାଁ, ଖାଲି ପଡିଛିି ହଜାର ହଜାର ସିଟ୍

ଭୁବନେଶ୍ୱର : ଚକାଚକ୍ ବିଲ୍ଡିଂ। ଯୁଆଡ଼େ ଚାହିଁଲେ ଖାଲି ଯନ୍ତ୍ରପାତି ଦେଖାଯାଉଛି। ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ବ୍ୟାପକ ସୁବିଧା ସୁଯୋଗ ରହିଛି। ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା ବି କରାଯାଇଛି। ଏତେ ସବୁ ସୁବିଧା ପରେ ବି ଆଇଟିଆଇ ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି ଛାତ୍ରଛାତ୍ରୀ। ରାଜ୍ୟର ୫୦୪ ଆଇଟିଆଇରେ ହଜାର ହଜାର ସିଟ୍ ଖାଲି ପଡ଼ିଛି। କେଉଁଠି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁନି ତ ଆଉ କେଉଁଠି ଅଧା ସିଟ୍ ପୂରଣ ହୋଇନି। ଖୋଦ୍ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ଆଇଟିଆଇଗୁଡ଼ିକରେ ବି ନାମ ଲେଖାଇବାକୁ ପିଲା ଆଗ୍ରହ ପ୍ରକାଶ କରୁନାହାନ୍ତି। ଲଗାତାର ତିନି ବର୍ଷ ହେଲା ରାଜ୍ୟର ମୋଟ ଆଇଟିଆଇ ସିଟ୍ ମଧ୍ୟରୁ ଅଧା ପୂରଣ ହେଉ ନ ଥିଲା। ଆଉ ଏବର୍ଷ ସ୍ଥିତି ସବୁଠାରୁ ସଙ୍ଗିନ ହେବାକୁ ଯାଉଛି। ନାମଲେଖା ଶେଷ ହୋଇଗଲାଣି। ତା’ପରେ ବି ମାତ୍ର ୧୦ ପ୍ରତିଶତ ସିଟ୍ ପୂରଣ ହୋଇଛି। ଇତିମଧ୍ୟରେ ସ୍ପଟ୍ ନାମଲେଖା ବି ଶେଷ ହୋଇଯାଇଛି। ସବୁ ପରେ ବି ଏତେ ସଂଖ୍ୟାରେ ସିଟ୍ ଖାଲିପଡ଼ିବାକୁ ନେଇ ଆଇଟିଆଇ କର୍ତୃପକ୍ଷ ଚିନ୍ତାପ୍ରକଟ କରିଛନ୍ତି। ତାଲା ପକାଇବାକୁ ବି କେତେଜଣ ଯୋଜନା କଲେଣି। ଆଇଟିଆଇରେ ନାମଲେଖା କରୁଥିବା ସାମ୍ସର ସୂଚନା ଅନୁଯାୟୀ, ୨୦୨୦-୨୧ ଶିକ୍ଷାବର୍ଷରେ ୫୦୪ ଶିକ୍ଷାନୁଷ୍ଠାନର ୯୫ ହଜାର ୫୧୬ ସିଟ୍ରେ ନାମଲେଖା ହେଉଛି। ଯେଉଁଥିରେ ୫୦ରୁ ଅଧିକ ସରକାରୀ ଆଇଟିଆଇ ଥିବା ବେଳେ ବାକିଗୁଡ଼ିକ ଘରୋଇ। ଉପରୋକ୍ତ ସିଟର ନାମଲେଖା ପାଇଁ ୪୩ ହଜାର ୫୨୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୨ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ଆବଶ୍ୟକୀୟ ଫି’ ଦାଖଲ କରି ଆବେଦନ କରିଥିଲେ। ବିନା ଫି’ ଦାଖଲରେ ୨୭୯୬ ପ୍ରାର୍ଥୀ ଆବେଦନ କରିଥିଲେ। ରାଜ୍ୟ ବାହାରର ୩୮୯ ଜଣ ଆବେଦନକାରୀ ରହିଥିଲେ। ୨୦୧୩ରୁ ୨୦୧୯ ମଧ୍ୟରେ ମାଟ୍ରିକ୍ ପାସ୍ କରିଥିବା ୩୨ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମିତିକି ୪ ହଜାର ୧୯୩ ଜଣ ଛାତ୍ରୀ ଆଇଟିଆଇ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରି ଆବେଦନ କରିଥିବା ସାମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏତେ ସବୁ ଆବେଦନ ପରେ ବି ଆଜି ସୁଦ୍ଧା ମାତ୍ର ୫ ହଜାର ୭୩୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ସାମ୍ସ ୱେବସାଇଟରେ ଉଲ୍ଲେଖ କରାଯାଇଛି। ତେବେ ଶିକ୍ଷାବିତଙ୍କ କହିବା କଥା ହେଉଛି ଯେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଉ ଥିବାରୁ ଛାତ୍ରଛାତ୍ରୀ ସେଥିପ୍ରତି ଆକୃଷ୍ଟ ହେଉଛନ୍ତି। ତାଲିମ ନେବା ପରେ କିଛି ନ ହେଲେ ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ଯେଉଁଥିପାଇଁ ଆଇଟିଆଇ ପ୍ରତି ଦିନକୁ ଦିନ ଆଗ୍ରହ କମୁଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular