ଭୋପାଳ – ମଧ୍ୟ ପ୍ରଦେଶ ଉପ ନିର୍ବାଚନ ଘୋଷଣା ପୂର୍ବରୁ କୃଷଙ୍କ ଋଣ ଛାଡ ପ୍ରସଙ୍ଗ ନେଇ ରାଜନୀତି ଜୋର ଧରିଛି। ସୋମବାର ବିଧାନସଭାର ଦିନିକିଆ ଅଧିବେଶନରେ ରାଜ୍ୟର କୃଷି ମନ୍ତ୍ରୀ କମଲ ପଟେଲ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ କଂଗ୍ରେସ ଶାସନ ଅମଳରେ ରାଜ୍ୟର ୫୧ ଜିଲ୍ଲାରେ କୃଷକଙ୍କ ଋଣ ଛାଡ କରାଯାଇଛି। ମନ୍ତ୍ରୀଙ୍କ ଏହି ଟିପ୍ପଣୀ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଲୋକଙ୍କୁ ଭ୍ରମିତ କରିଥିବା ଅଭିଯୋଗ କରିଛନ୍ତି। ରାହୁଲ ଗୁରୁବାର କହିଛନ୍ତି କଂଗ୍ରେସ ଯାହା କହିଥିଲା ତାହା କରିଛି, ମାତ୍ର ବିଜେପି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛି। ରାହୁଲ ଗାନ୍ଧୀଙ୍କ ଅନୁଯାୟୀ ମଧ୍ୟ ପ୍ରଦେଶ ବିଧାନସଭାରେ ସୋମବାର କଂଗ୍ରେସ ନେତା ଜୟବର୍ଦ୍ଧନ ସିଂହଙ୍କ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ କମଲ ପଟେଲ କହିଛନ୍ତି କମଲନାଥଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ୫୧ ଜିଲ୍ଲାରେ ୨୬.୯୫ ଲକ୍ଷ କୃଷକଙ୍କ ୧୧,୬୦୦ କୋଟିରୁ ଅଧିକ ଟଙ୍କାର ଋଣ ଛାଡ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଙ୍ଗଳବାର କହିଥିଲେ ଶିବରାଜ ସିଂହ ଚୌହ୍ଵାନ ସରକାର ନିଜେ ହିଁ ବିଧାନସଭାରେ ନିଜ ମିଥ୍ୟା ରାଜନୀତିର ପର୍ଦ୍ଦାଫାଶ କରିଛନ୍ତି। କୃଷି ମନ୍ତ୍ରୀ କମଲ ପଟେଲ ଓ ବିଜେପି ଏହା ପରେ ମଧ୍ୟ କଂଗ୍ରେସ ଉପରେ କୃଷକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାର ଅଭିଯୋଗ କରୁଛନ୍ତି। ପଟେଲ କହିଛନ୍ତି କଂଗ୍ରେସ ସରକାର ୧୦ ଦିନ ଭିତରେ କୃଷକଙ୍କ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଛାଡ କରିବାକୁ ଘୋଷଣା କରିଥିଲେ ମଧ୍ୟ ଏହା କାର୍ୟ୍ୟରେ ପରିଣତ ହୋଇନଥିଲା। ଏହି ପରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି କଂଗ୍ରେସ କୃଷକଙ୍କୁ ଋଣ ଛାଡର ଭୁଲ ପ୍ରମାଣ ପତ୍ର ବଣ୍ଟ କରିଥିଲା, ଯାହାର ଟଙ୍କା ଏବେ ସରକାର ଜମା କରୁଛନ୍ତି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0