ଢେଙ୍କାନାଳ : କପିଳାସ ଚିଡ଼ିଆଖାନାରେ ଦୀର୍ଘ ୯ ମାସ ଧରି ବନ୍ଦୀ ଜୀବନ ବିତାଉଥିବା ଦୁର୍ଦ୍ଦାନ୍ତ ନରହନ୍ତା ହାତୀ ‘ରାକେଶ’ ଆଜି ସେଠାରୁ ମୁକ୍ତି ପାଇଛି। କାଠରେ ନିର୍ମିତ ଖୁଆଡ଼ (କ୍ରଲ୍) ମଧ୍ୟରୁ ତାକୁ ଆଜି ମୁକ୍ତ କରି କପିଳାସ ଜଙ୍ଗଲ ସ୍ଥିତ ଓପନ୍ ଏନକ୍ଲୋଜର ଭିତରକୁ ଛଡ଼ାଯାଇଛି। ଦୀର୍ଘଦିନର ବନ୍ଦୀ ଜୀବନରୁ ମୁକୁଳିବା ପରେ ଜଙ୍ଗଲରେ ସେ ଏବେ ଖୁସିରେ ଘୂରି ବୁଲୁଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ତାଳଚେର ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ୫ଟି ମୁଣ୍ଡ ନେଇଥିବା ନରହନ୍ତା ଜଙ୍ଗଲୀ ହାତୀ ‘ରାକେଶ’କୁ ଟ୍ରାଙ୍କୁଲାଇଜ୍ କରି ଗତ ଜାନୁଆରି ୨୨ ତାରିଖରେ କପିଳାସ ଚିଡ଼ିଆଖାନାକୁ ଅଣାଯାଇଥିଲା। ଏହି ଜଙ୍ଗଲୀ ଦନ୍ତା ବଳୁଆ ହୋଇଥିବାବେଳେ ବାରମ୍ବାର ଚେନ୍ ଛିଣ୍ଡାଉଥିବାରୁ କପିଳାସ ରେଞ୍ଜର ତାହାର ନାମ ‘ବାହୁବଳୀ’ ରଖିଥିଲେ । ପରେ ରାକସ୍ ଜଙ୍ଗଲରୁ ହାତୀଟି ଆସିଥିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସେହି ଅନୁଯାୟୀ ତାର ନାମ ‘ରାକେଶ’ ରଖିଛନ୍ତି। ଚିଡ଼ିଆଖାନାରେ ଉପଦ୍ରବ କରି ଆତଙ୍କ ସୃଷ୍ଟି କରୁଥିବା ‘ରାକେଶ’ର ଚାରି ଗୋଡ଼କୁ ଶିକୁଳି ଦ୍ୱାରା ବନ୍ଧା ଯାଇ ତାକୁ ଏକ ଖୋଲାସ୍ଥାନରେ ରଖାଯାଇଥିଲା ଏବଂ ସେହି ସ୍ଥାନର ଚାରିପାଖେ ଟ୍ରେଂଚ୍ ଖୋଳାଯାଇଥିଲା। ଶିକୁଳିରେ ଦିନରାତି ବନ୍ଧା ହୋଇ ରହିବା ଯୋଗୁଁ ତା ଗୋଡ଼ରେ ଘା ସୃଷ୍ଟି ହୋଇଥିଲା । ପରେ ପୂର୍ବତନ ମନ୍ତ୍ରୀ ମେନକା ଗାନ୍ଧି ଗଭୀର ଉଦବେଗ ପ୍ରକାଶ କରି ସରକାରଙ୍କୁ ଚିଠି ଲେଖି ହାତୀର ସ୍ୱାସ୍ଥ୍ୟାବସ୍ଥାରେ ତୁରନ୍ତ ସୁଧାର ଆଣିବାକୁ ପରାମର୍ଶ ଦେଇଥିଲେ। ‘ରାକେଶ’କୁ ସୁରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ଚିଡ଼ିଆଖାନା ପରିସରରେ ୪ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ୧୨ ଫୁଟ୍ ଲମ୍ବ ଓ ୧୨ ଫୁଟ୍ ଚଉଡ଼ା କାଠ଼ରେ କ୍ରଲ୍ ନିର୍ମାଣ କରାଯାଇଥିଲା । ରାକେଶ ଗୋଡ଼ରୁ ଲୁହାର ଜଞ୍ଜିର ଖୋଲାଯାଇ ‘କ୍ରଲ୍’ ଭିତରେ ଆବଦ୍ଧ କରି ରଖାଯାଇଥିଲା। ସେହି ସୀମିତ ସ୍ଥାନ ମଧ୍ୟରେ ସେ ବନ୍ଦୀ ପରି ଜୀବନ ବିତାଉଥିଲା। ଅନ୍ୟପକ୍ଷରେ, ରାକେଶର ଗୋଡ଼ଗୁଡିକରେ ସୃଷ୍ଟି ହୋଇଥିବା କ୍ଷତକୁ ଭଲ କରିବା ଲାଗି ବିଭାଗ ପକ୍ଷରୁ ୧ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇଥିବା ବିଭାଗୀୟ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଚାରିକାନ୍ଥ ଆବଦ୍ଧ ମଧ୍ୟରୁ ତାକୁ ମୁକୁଳାଇବା ଲାଗି ବିଭାଗୀୟ କର୍ତୃପକ୍ଷ ଗୁରୁତ୍ୱ ଦେଇ ତାର ରହିବା ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ଚିଡ଼ିଆଖାନା ନିକଟସ୍ଥ କପିଳାସ ଜଙ୍ଗଲ ମଧ୍ୟରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ୧ ହେକ୍ଟର ଜମିରେ ପ୍ରସ୍ତୁତ ହୋଇଛି ଖୋଲା ଏନକ୍ଲୋଜର ଏହି ଏନକ୍ଲୋଜରର ଚାରିପାଖରେ ପ୍ରଥମ ପର୍ଯ୍ୟାୟରେ ସୋଲାର ଫେନ୍ସିଂ କରାଯାଇଛି । ସେଠାରୁ ଦ୍ୱିତୀୟ ପର୍ୟ୍ୟାୟରେ ୧୦ ଫୁଟ୍ ଓସାର ଏବଂ ୧୦ ଫୁଟ୍ ଗଭୀରରେ ଟ୍ରେଂଚ୍ ଖୋଳାଯାଇଛି । ଫଳରେ ରାକେଶ ପଦାକୁ ବାହାରିଯିବା ସମ୍ଭବ ହେବ ନାହିଁ । ଓପନ୍ ଏନକ୍ଲୋଜର ଭିତରେ ଡ୍ରୋନ୍ କ୍ୟାମେରା ଦ୍ୱାରା ରାକେଶର ଗତିବିଧି ଉପରେ ଲକ୍ଷ୍ୟ ରଖାଯିବାର ବ୍ୟବସ୍ଥା କରାଯାଇଛି ।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0