ଭୁବନେଶ୍ୱର ୧୧|୦୭: ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଭୁବନେଶ୍ୱର ମହାନଗର ନିଗମ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ମେଳ ଖାଉନଥିବାରୁ ଚିନ୍ତାରେ ଭୁବନେଶ୍ୱର ବାସୀ । ବିଏମସି କହୁଛି ରାଜଧାନୀରେ ଆଜି ୩୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଲିକାରେ ପୂରା ଖୋର୍ଦ୍ଧା ଜିଲ୍ଲାରୁ ଆଜି ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି । ଆଜି ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ୨୬ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଞ୍ଚିଛି । ସେହିପରି ୬ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ଆଜିର ୬ ଜଣ ସୁସ୍ଥକୁ ମିଶାଇ ମୋଟ ୩୧୪ଜଣ ସୁସ୍ଥ ହୋଇଥିବା ସୂଚନା । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧୭ ରହିଛି ।

ଭୁବନେଶ୍ୱରରେ ଏଯାଏଁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଚିହ୍ନଟ ହୋଇଥିବା ସ୍ଥାନୀୟ ଲୋକ ମଧ୍ୟରେ କଳିଙ୍ଗ ବିହାର, ପୋଖରୀପୁଟ, ନୟାପଲ୍ଲୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ୨ଜଣ ଚନ୍ଦ୍ରଶେଖରପୁର, ଗଙ୍ଗନଗର, ନୀଳାଦ୍ରି ବିହାରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଭିନ୍ନ ତଥ୍ୟ ଦେଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ଆଜି ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଶ୍ନ ଉଠୁଛି ଯଦି ପୁରା ଖୋର୍ଦ୍ଧା ଜିଲ୍ଲାରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତେବେ କେବଳ ଭୁବନେଶ୍ୱରରୁ କିଭଳି ୩୮ ପଜିଟିଭ ଆସିଲେ? ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ବିଏମସି ତଥ୍ୟ ମଧ୍ୟରେ ତାଳମେଳ ରହୁ ନଥିବାରୁ ପ୍ରକୃତରେ କେଉଁଟି ଠିକ ସେ ନେଇ ସନ୍ଦେହ ସୃଷ୍ଟି ହେଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0