ଚାନ୍ଦିପୁର: ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ଆଜି ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସ ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ଡିଆରଡିଓ ପକ୍ଷରୁ ହୋଇଥିବା ସୂଚନା ମିଳିଛି। ଭାରତ ଓ ରୁଷିଆର ମିଳିତ ଜ୍ଞାନକୌଶଳରେ ତିଆରି ହୋଇଥିବା କ୍ଷେପଣାସ୍ତ୍ର ବ୍ରହ୍ମୋସ ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରକୁ ଉଭୟ ଜଳ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ବ୍ରହ୍ମୋସ ମିସାଇଲରେ ଦୁଇଟି ଷ୍ଟେଜ ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଇଛି। ୩ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ର ସ୍ଥଳଭାଗରୁ ୪୫୦ କିଲୋମିଟର ରୁ ୬୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି। ଘଣ୍ଟା ପ୍ରତି ୩ହଜାର ୪ଶହ କିଲୋମିଟର ରୁ ୩ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ସୁପର ସୋନିକ କ୍ରୁଜ଼ ମିସାଇଲ୍ ବ୍ରହ୍ମୋସକୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ବ୍ୟବହାର କରାଯାଉଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କିଲୋଗ୍ରାମ ରହିଛି।