ହାଇଦ୍ରାବାଦ- ବାବ୍ରି ବିଧ୍ଵଂସ ମାମଲାରେ ଆଜି ସିବିଆଇର ସ୍ଵତନ୍ତ୍ର ଅଦାଲତରୁ ରାୟ ପ୍ରକାଶ ପାଇଛି। କୋର୍ଟ ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କ ରାୟରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ପାର୍ଟିର ମୁଖ୍ୟ ଅସଦୁଦ୍ଦୀନ ଅଓ୍ଵେସି କ୍ଷୁବ୍ଧ। ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ଦିନଟି ଅଦାଲତ ପାଇଁ କଳାଦିନ। ସେ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି କଣ ଜାଦୁରେ ମସଜିଦ ଭାଙ୍ଗିଗଲା। ଅଓ୍ଵେସି ସିବିଆଇ କୋର୍ଟର ରାୟକୁ ଅନ୍ୟାୟ ଦର୍ଶାଇ କହିଛନ୍ତି, ମୁଁ ଜଣେ ଭାରତୀୟ ମୁସଲିମ ଭାବେ ଆଜି ନିଜକୁ ଅପମାନ, ଲଜ୍ଜା ଓ ଅସହାୟ ଅନୁଭବ କରୁଛି। ୧୯୯୨ରେ ଯୁବାବସ୍ଥାରେ ଯେମିତି ଅନୁଭବ କରିଥିଲି ଆଜି ସେମିତି ଅନୁଭବ କରୁଛି। ସେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ(ଏଆଇଏମପିଏଲବି)କୁ ଏହି ନିଷ୍ପତ୍ତିକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଏହା ନ୍ୟାୟର ମାମଲା ଏବଂ ଆଜି ବିଜେପି ଏହି ପ୍ରସଙ୍ଗରେ ହିଁ କ୍ଷମତାରେ ରହିଛି। ଅଓ୍ଵେସି କହିଛନ୍ତି, ଲାଲକୃଷ୍ଣ ଆଡଭାଣୀ ପୂରା ଦେଶରେ ରଥଯାତ୍ରା ବାହାର କରିଥିଲେ। ପ୍ରତ୍ୟେକ ଜାଗାରେ ହିଂସା ଘଟିଲା। ଉମା ଭାରତୀ ନାରା ଦେଇଥିଲେ ଆଉ ଗୋଟିଏ ଧକ୍କା ଦିଅ, ବାବ୍ରି ମସଜିଦକୁ ଭାଙ୍ଗି ଦିଅ। ଯେବେ ବାବ୍ରି ସହିଦ ହେଉଥିଲା ସେହି ସମୟରେ ମିଠା ବଣ୍ଟା ଯାଉଥିଲା। ଆଡଭାଣୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ଏହି ସମସ୍ତ ବ୍ୟକ୍ତି ଖୁସି ମନାଉଥିଲେ। ମସଜିଦ ଭାଙ୍ଗିବା ପାଇଁ ବିନୟ କଟିଆରଙ୍କ ଘରେ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଅଓ୍ଵେସି କହିଛନ୍ତି। ଅଓ୍ଵେସି କୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଯେଉଁ ଅଭିଯୁକ୍ତ କୋର୍ଟ ବାହାରେ ଏହା ସ୍ଵୀକାର କରୁଛନ୍ତି ଯେ, ଆମେ ବାବ୍ରି ମସଜିଦ ଭାଙ୍ଗିଛୁ। କିନ୍ତୁ କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ଏହା ବଡ ଅଦ୍ଭୁତ ଘଟଣା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0