spot_img

ବିଧାନସଭାରେ ପାରିତ ହେଲା ମହାମାରୀ ରୋଗ ସଂଶୋଧନ ବିଲ୍-୨୦୨୦

ଭୁବନେଶ୍ୱର : ଏଣିକି କରୋନା ନିୟମ ଭାଙ୍ଗିଲେ ନିସ୍ତାର ନାହିଁ। ଅମାନିଆଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ମିଳିବା ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏ ନେଇ ବିଧାନସଭାରେ ମହାମାରୀ ରୋଗ ଓଡ଼ିଶା ସଂଶୋଧନ ବିଲ୍-୨୦୨୦ ପାରିତ ହୋଇଛି। ଜେଲ୍ ବ୍ୟବସ୍ଥା କେବଳ ବିରୋଧୀଙ୍କୁ ଚୁପ୍ କରିବାକୁ କରାଯାଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଅନ୍ୟପଟେ ସାମାଜିକ ଦୂରତା ବଦଳରେ ଶାରୀରିକ ଦୂରତା ଶବ୍ଦ ବ୍ୟବହାର କରିବାକୁ ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ ପରାମର୍ଶ ଦେଇଥିଲେ ବି ସରକାର ଶୁଣିନାହାନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ବାରମ୍ବାର ନିବେଦନ ପରେ ବି କିଛି ବ୍ୟକ୍ତି ନିୟମ ପାଳନ କରୁନାହାନ୍ତି। ଯାହାଙ୍କ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପଦଗ୍ରସ୍ତ ହେଉଛି। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ବିଲରେ ଏପରି କଠୋର ବ୍ୟବସ୍ଥା କରାଯାଇଛି। ବିଲ୍ ଉପରେ ଆଲୋଚନା ଆରମ୍ଭ କରି ବିଜେଡି ସଭ୍ୟ ଭୂପିନ୍ଦର ସିଂହ କହିଥିଲେ, କରୋନା ମହାମାରୀ ଯେପରି ଭାବେ କାୟା ବିସ୍ତାର କରିଚାଲିଛି ଏହି ରୋଗର ଯେ ପର୍ୟ୍ୟନ୍ତ ଟିକା ନ ବାହାରିଛି ସେ ପର୍ଯ୍ୟନ୍ତ ମାସ୍କ୍ ହେଉଛି ଟିକା, ହାତ ଧୋଇବା ହେଉଛି ମେଡିସିନ୍, ସାମାଜିକ ଦୂରତା ହେଉଛି ରୋଗ ପ୍ରତିରୋଧ ଶକ୍ତି। ପୁରୁଣା ମହାମାରୀ ଆଇନରେ ଯେଉଁ ଜରିମାନା ବ୍ୟବସ୍ଥା ୧୦ ହଜାର ଟଙ୍କା ଥିଲା, ସେଥିରେ ପରିବର୍ତ୍ତନ କରି ଅମାନିଆଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା କରାଯାଇଛି। ଏହାକୁ ସମସ୍ତେ ଗ୍ରହଣ କରିବା ଦରକାର। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଆଦିବାସୀ ଅଞ୍ଚଳର ଲୋକମାନେ ଗରିବ। ସେମାନେ ତାଙ୍କ ଜୀବନ ଜୀବିକା ପାଇଁ ଯଦି କେତେବେଳେ ମାସ୍କ୍ କିମ୍ବା କୋଭିଡ ନିୟମ ଉଲଂଘନ କଲେ ତାହେଲେ ସେମାନଙ୍କ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଅତି କଠୋର ପଦକ୍ଷେପ। ଏହି ଜରିମାନା ପରିମାଣକୁ ମନ୍ତ୍ରୀ କମ୍ କରନ୍ତୁ। ଯଦି ବିଲରେ ଜରିମାନା ବ୍ୟବସ୍ଥା ରଖାଯାଉଛି ତାହେଲେ ଏହା ବିରୋଧରେ ଅପିଲ କରିବାର ମଧ୍ୟ ବ୍ୟବସ୍ଥା କରାଯାଉ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular