କଟକ : ୮୧ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ କି ସଂସ୍କୃତ ଅନର୍ସ ନେଇ ପଢିବାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସିଟ୍ ନାହିଁ। ୯୧ ପ୍ରତିଶତ ନମ୍ବର ରଖିଥିବା ପିଲାଙ୍କ ପାଇଁ ଯୁକ୍ତ ତିନି ବିଜ୍ଞାନର କୌଣସି ବି ବିଷୟରେ ଅନର୍ସ ରଖି ପଢିବାର ସୁଯୋଗ ନାହିଁ। କରୋନା କାଳରେ ଚଳିତବର୍ଷ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ଅଧୀନରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ପାସ୍ କରିଥିବା ଛାତ୍ରଛାତ୍ରୀ। ରେଭେନ୍ସା ବିଶବିଦ୍ୟାଳୟର ବିଭିନ୍ନ ଅନର୍ସ ବିଷୟ ପାଇଁ ପ୍ରଥମ କଟଅଫ୍ ନମ୍ବର ପ୍ରକାଶ ପାଇଥିବାବେଳେ ଏବେ ଚିନ୍ତାରେ ପଡିଛନ୍ତି ଛାତ୍ରଛାତ୍ରୀ ଆଉ ସେମାନଙ୍କର ଅଭିଭାବକ। ୭୦/୮୦ ପ୍ରତିଶତ ନମ୍ବର ରଖି ପାସ୍ କରିଥିବା ମେଧାବୀ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଭଲ କଲେଜରେ ନାମ ଲେଖାଇବା କ୍ଷେତ୍ରରେ ଏଭଳି ସମସ୍ୟାର ସାମ୍ନା କରିବେ । ପରବର୍ତ୍ତୀ ସିଲେକ୍ସନରେ ଯଦିଓ କଟ୍-ଅଫ୍ ନମ୍ବର ପ୍ରତିଶତ କିଛିଟା ହ୍ରାସ ପାଇପାରେ, କିନ୍ତୁ ସେଥିରେ କେତେ ଛାତ୍ରଛାତ୍ରୀ ଉପକୃତ ହେବେ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କରୋନା ପରିସ୍ଥିତିରେ ରାଜ୍ୟର ସିଏଚ୍ଏସ୍ଇ ବୋର୍ଡ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଯେଭଳି ମୂଲ୍ୟାୟନ କରିଛି, ସେଥିରେ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି।ଚଳିତ ବର୍ଷର କଟଅଫ ନମ୍ବର ଗତ ବର୍ଷ ତୁଳନାରେ ହାରାହାରି ଭାବେ ୧୪ରୁ ୧୫ ପ୍ରତିଶତ ଅଧିକ ରହିଛି।