କର୍ଣ୍ଣାଟକ: କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ । ଦୁର୍ନୀତି ମାମଲାରେ ସୋମବାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ଶିବକୁମାରଙ୍କ ବାସଭବନ ସମେତ ୧୪ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଇଡି ଆୟକର ବିଭାଗର ଟିକସ ଚୋରି ଅଭିଯୋଗଗୁଡ଼ିକ ଆଧାରରେ ଏକ ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲା। ଏଥିରେ ଯେଉଁସବୁ ତଥ୍ୟ ଇଡିର ହସ୍ତଗତ ହୋଇଛି, ତାହା ଗତବର୍ଷ ସିବିଆଇକୁ ପଠାଇଦିଆଯାଇଛି। ଆଉ ସେହି ଇନପୁଟ୍ ଆଧାରରେ ସିବିଆଇ ନୂଆ ମାମଲା ରୁଜୁ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କର୍ଣ୍ଣାଟକ ସରକାରର ତତ୍କାଳୀନ ମନ୍ତ୍ରୀ ତଥା ଅନ୍ୟ ସହଯୋଗୀମାନଙ୍କ ବିରୁ୍ଦ୍ଧରେ ଏକ ମାମଲା ରୁଜୁ କରିଛି। ଏନେଇ କର୍ଣ୍ଣାଟକ, ମୁମ୍ବାଇ ଏବଂ ଦିଲ୍ଲୀ ସମେତ ୧୪ଟି ସ୍ଥାନରେ ସିବିଆଇ ଚଢ଼ାଉ କରି ଖୋଳତାଡ଼ କରୁଛି। ଗତ ବର୍ଷ ଟଙ୍କା ହେରଫେର୍ ମାମଲାରେ ଇଡି ଶିବକୁମାରଙ୍କୁ ୪ଦିନ ଜେରା କରିବା ପରେ ଗିରଫ କରିଥିଲା। ୨୦୧୭ରେ ଶିବକୁମାରଙ୍କ ୮.୬ କୋଟି ଟଙ୍କାର ଅଜ୍ଞାତ ଆୟ ମିଳିଥିବାର ଅଭିଯୋଗ ହୋଇଥିଲା। ପରେ ଏହାକୁ ୧୧ କୋଟି ବୋଲି ଦର୍ଶାଯାଇଥିଲା, ଯାହାର ତଥ୍ୟ ଶିବକୁମାର ଲୁଚାଇଥିଲେ। ତେବେ ୨୦୧୮ରେ ଆୟକର ବିଭାଗର ଚାର୍ଜସିଟ୍ ଆଧାରରେ ଇଡି ଶିବକୁମାରଙ୍କ ବିରୁଦ୍ଧରେ ଅର୍ଥ ହେରଫେର୍ ନେଇ ଏକ ମାମଲା ରୁଜୁ କରିଥିଲା। ଅର୍ଥ ହେରଫେର୍ ମାମଲାର ତଦନ୍ତ ବେଳେ ଇଡି କିଛି ତଥ୍ୟ ଗତ ବର୍ଷ ସିବିଆଇ ନିକଟକୁ ପଠାଇଥିଲା। କଂଗ୍ରେସ ନେତା ଶିବକୁମାରଙ୍କ ବିରୁଦ୍ଧରେ ଏହା ହେଉଛି ପ୍ରଥମ ସିବିଆଇ ମାମଲା। ଅନ୍ୟପଟେ କର୍ଣ୍ଣାଟକରେ ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତିକୁ ଭଣ୍ଡୁର କରିବାକୁ ଏହା ଏକ ପ୍ରୟାସ ବୋଲି କଂଗ୍ରେସ ଅଭିଯୋଗ କରିଛି।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0