ଜୟପୁର: ରାଜସ୍ଥାନ ଦେଶର ପ୍ରଥମ ରାଜ୍ୟ, ଯାହା କରୋନା ଭାଇରସରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବା ପାଇଁ ଏକ ବିଧିବଦ୍ଧ ଆଇନ ପ୍ରଣୟନ କରିବାକୁ ଯାଉଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବା ପାଇଁ ରାଜ୍ୟ ସରକାର ଆଜି ବିଧାନସଭାରେ ଏକ ବିଲ ଆଣି ଏଥିପାଇଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଯେହେତୁ କରୋନାଭାଇରସ୍ ବା କୋଭିଡ୍-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ଅପେକ୍ଷା ପ୍ରତିରୋଧ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଏବଂ ଏପ୍ରକାର ପରିସ୍ଥିତିରେ ମାସ୍କ ହିଁ ଟୀକାର ବିକଳ୍ପ ହୋଇ ପଡ଼ିଛି ସେଥିପାଇଁ ଏହି ଆଇନ ପ୍ରଣୟନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲୋଟ। ଏହି ଆଇନ ପ୍ରଣୟନ ହେଲେ, ରାଜସ୍ଥାନ ଖୁବ୍ ଶୀଘ୍ର ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ କୋଭିଡ ବିସ୍ତାରକୁ ରୋକିବା ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ପ୍ରଥମେ ରାଜସ୍ଥାନରେ ‘ନୋ ମାସ୍କ-ନୋ ଏଣ୍ଟ୍ରି’ର ପ୍ରଚଳନ ପରେ ଏବେ ସରକାର ମାସ୍କ ପରିଧାନ ପାଇଁ ଏହି ନୂତନ ଆଇନ୍ ଆଣିଛନ୍ତି। ଏଥିରେ ମାସ୍କ ପରିଧାନ ସହ ପ୍ରତିଷେଧକ ଟୀକା ଆସିବା ପର୍ୟ୍ୟନ୍ତ ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମର ପାଳନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0