କୋଲକାତା : ବଙ୍ଗାଳି ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ନିଧନ ହୋଇଛି। ୮୫ ବର୍ଷ ବୟସରେ ସେ ଦୁନିଆକୁ ସବୁଦିନ ପାଇଁ ଅଲବିଦା କରିଛନ୍ତି। ସେ ବହୁ ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ହୋଇନଥିଲା। ନିକଟରେ ଡାକ୍ତର କହିଥିଲେ ଯେ ସୌମିତ୍ର ଚାଟାର୍ଜୀଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି କିନ୍ତୁ ତଥାପି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ।
ସୌମିତ୍ର ଚାଟାର୍ଜୀ ରବିବାର ନଭେମ୍ବର ୧୫ ତାରିଖ ଏକ ଘରୋଇ ଡାକ୍ତରଖାନାରେ ଅପରାହ୍ନ ୧୨ଟା ୧୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଙ୍କ ଟିମ ତାଙ୍କ ସ୍ୱାସ୍ଥାବସ୍ଥାରେ ସୁଧାର ଆଣିବା ପାଇଁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା।
ସୌମିତ୍ର ଚାଟାର୍ଜୀ ବଙ୍ଗାଳି ଭାଷାରେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ସେହିପରି ୨୦୧୨ରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅସ୍କାର ବିଜେତା ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ସହିତ ସୌମିତ୍ର ଚାଟାର୍ଜୀ ୧୪ଟି ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ଥିଲା ଅପୁର ସଂସାର। ଏହା ୧୯୫୯ରେ ରିଲିଜ୍ ହୋଇଥିଲା।
ସୌମିତ୍ର ଚାଟାର୍ଜୀ ଅକ୍ଟୋବର ୬ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଖରାପ ହୋଇଥିଲା।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0