ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ଦୀପାବଳି ପରେ ସାଂଘାତିକ ହୋଇଛି ସ୍ଥିତି । ଦୀପାବଳିରେ ବାଣ ଓ ବିସ୍ଫୋରକ ପ୍ରୟୋଗ ଦ୍ୱାରା ବିପଜ୍ଜନକ ହୋଇପଡିଛି ବାୟୁର ମାନ । କିଛି ଅମାନିଆ ବାଣ ବିକ୍ରି ଓ ବ୍ୟବହାରକୁ ନେଇ ଥିବା କଟକଣାକୁ ଖାତିର ନକରି ଫୁଟାଇଛନ୍ତି ବାଣ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ବେଖାତିର କରି ବାଣ ଫୁଟାଇବା ଦ୍ୱାରା ଦିଲ୍ଲୀର ସ୍ଥିତି ବିଗିଡି ଯାଇଛି । ଅନ୍ୟପଟେ ଦିଲ୍ଲୀ, ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶରେ ନଡା ଜାଳିବା ଦ୍ୱାରା ମଧ୍ୟ ଦିଲ୍ଲୀ ପ୍ରଦୂଷଣ ସ୍ତର ବଢିଯାଇଛି । ବାଣ ଫୁଟାଇବା ଓ ନଡା ଜାଳିବା ଯୋଗୁଁ ଦିଲ୍ଲୀର ପିଏମ୍ ୨.୫ ପ୍ରଦୂଷଣ ୩୨ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ, ଆଜି ସକାଳ ୬ଟାରେ ଦିଲ୍ଲୀର ପିଏମ୍ ୧୦ ସ୍ତର ୫୪୩ / ଏମ୍ ୩ ରହିଥିଲା । ପିଏମ୍ ୧୦ ସ୍ତର ୧୦୦ / ଏମ୍ ୩ ନିରାପଦ ଥିଲା ବେଳେ ଦିଲ୍ଲୀରେ ଏହା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ଜିଆରଏପି ଅନୁସରେ, ପିଏମ୍ ୨.୫ ସ୍ତର ୩୦୦/ ଏମ୍ ୩ ଏବଂ ପିଏମ୍ ୧୦ ସ୍ତର ୫୦୦/ ଏମ୍ ୩ ଉଦ୍ଧ୍ୱର୍ରେ ରହିଲେ ବାୟୁର ମାତ୍ରା ଅତି ସାଂଘାତିକ ହୋଇଥାଏ । ବର୍ତ୍ତମାନ ଦିଲ୍ଲୀର ବାୟୁରେ ପିଏମ୍୍ ୨.୫ ଏବଂ ପିଏମ୍ ୧୦ ସ୍ତର ରହିଥିବାରୁ ଏହା ଅତି ସାଂଘାତିକ ସ୍ଥିତିକୁ ସୂଚାଉଛି । ସେପଟେ ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବାୟୁ ପ୍ରଦୂଷଣ ଦ୍ୱାରା କରୋନା ସ୍ଥିତି ପୁଣି ବିଗିଡିବାର ସମ୍ଭାବନା ରହିଛି । ଦୀପାବଳିରେ ବାଣ ଫୁଟାଇବା କଟକଣା ମାନିଥିଲେ ବର୍ତ୍ତମାନ ଦିଲ୍ଲୀର ପିଏମ ୨.୫ ସ୍ତର ଗତ ୪ ବର୍ଷ ମଧ୍ୟରେ ସବୁଠୁ କମ ରହିଥାନ୍ତା ବୋଲି ଭାରତ ସରକାରଙ୍କ ଭୂ ବିଜ୍ଞାନ ଓ ବାୟୁ ମାନ ସୂଚକ ତରଫରୁ ସୂଚନା ମିଳିଛି ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0