ନୂଆଦିଲ୍ଲୀ: ଯୁଦ୍ଧ ଜିଣିବା ନିମନ୍ତେ ଚୀନର ‘ପିପୁଲ୍ସ ଲିବରେସନ ଆର୍ମି’ ଅତ୍ୟାଧୁନିକ ଯୁଦ୍ଧ ଉପକରଣ ବ୍ୟବହାର କରିବା ସହ ବାସ୍ତବ ଯୁଦ୍ଧ ଭଳି ଅବସ୍ଥାରେ ତାଲିମ ନେବା ଆବଶ୍ୟକ ବୋଲି ଚୀନର ରାଷ୍ଟ୍ରପତି ତଥା ‘ଚୀନ କମ୍ୟୁନିଷ୍ଟ ପାର୍ଟି’ର ମୁଖ୍ୟ ସି ଜିନପିଙ୍ଗ କହିଛନ୍ତି। ‘ସେଣ୍ଟ୍ରାଲ ମିଲିଟାରି କମିସନ’ର ଅଧ୍ୟକ୍ଷ ଥିବା ୬୭ ବର୍ଷିୟ ଜିନପିଙ୍ଗ ‘ସିଏମସି’ର ଏକ ସଭାରେ ଭାଷଣ ଦେବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ଚୀନର ସେନାର ଯୁଦ୍ଧ ଲଢ଼େଇ ଦକ୍ଷତା, ନିରାପତ୍ତା, ପରିବେଶ ଏବଂ ଆଧୁନିକ ଯୁଦ୍ଧ କୌଶଳର ରୂପରେଖରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି । ସେନାରେ ବୈଜ୍ଞାନିକ ଏବଂ ବୈଷୟିକ ଶିକ୍ଷାଦୀକ୍ଷା ଥିବା ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ଚୀନରେ ଦୁଇ ନିୟୁତ ସୈନ୍ୟବିଶିଷ୍ଟ ‘ପିପୁଲ୍ସ ଲିବରେସନ ଆର୍ମି’ ନିମନ୍ତେ ଆଦେଶ ଜାରି କରୁଥିବା ସର୍ବୋଚ୍ଚ ପ୍ରତିଷ୍ଠାନ ହେଉଛି ‘ସେଣ୍ଟ୍ରାଲ ମିଲିଟାରି କମିସନ’। ‘ପିପୁଲ୍ସ ଲିବରେସନ ଆର୍ମି’କୁ ବିଶ୍ୱର ଶ୍ରେଷ୍ଠ ସେନାବାହିନୀରେ ପରିଣତ କରିବାକୁ ଯଥା ଶୀଘ୍ର ନୂତନ ଧରଣର ସାମରିକ ତାଲିମ ଧାରା ଆରମ୍ଭ କରାଯିବ ବୋଲି ମଧ୍ୟ ଜିଙ୍ଗପିନ କହିଥିବା କଥା ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥାନ ‘ଚିନ ହୁଆ’ ରିପୋର୍ଟ କରିଛି। ୨୦୨୭ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ସେନା ସମକକ୍ଷ ସମ୍ପୂର୍ଣ୍ଣ ଆଧୁନିକ ସେନା ନିର୍ମାଣ କରିବାକୁ ନିକଟ ଅତୀତରେ ଶେଷ ହୋଇଥିବା ରୁଦ୍ଧଦ୍ୱାର ବୈଠକରେ ଚୀନର କମ୍ୟୁନିଷ୍ଟ୍ ପାର୍ଟି ଚୂଡ଼ାନ୍ତ କରିଥିଲା।



Visitors Today : 0
Total Visitors : 130184
Total Views : 9891638
Visitors Online Now : 0