ନୂଆଦିଲ୍ଲୀ: ଜଣେ ପ୍ରାପ୍ତ ବୟସ୍କା ମହିଳା ନିଜ ଇଚ୍ଛା ଅନୁସାରେ ଅବାଧରେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହ ରହିପାରିବେ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଜଣେ ୨୦ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ପୁନର୍ମିଳନ କରାଇବା ବେଳେ ବିଚାରପତି ବିପିନ ସଙ୍ଘାଇ ଏବଂ ରଜନୀଶ ଭଟ୍ଟନାଗରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁଲେଖା ନାମ୍ନା ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ବବଲୁଙ୍କ ସହ ରହିବାକୁ ଅନୁମତି ଦିଆଯାଉ ବୋଲି ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ସୁଲେଖା ନାବାଳିକା ଏବଂ ତାଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ପରିବାର କରିଥିବା ଅଭିଯୋଗକୁ ଅଦାଲତ ଏଡ଼ାଇ ଦେଇଛନ୍ତି। ଭିଡିଓ କନଫରେନସିଙ୍ଗ ଜରିଆରେ ସୁଲେଖାଙ୍କ ସହ ଆଲୋଚନା କରିବା ସହ ଘର ଛାଡ଼ିଲା ବେଳେ ସେ ସାବାଳିକା ଥିବା କଥା ଯାଞ୍ଚ କରିବା ପରେ ତାଙ୍କୁ ସୁରକ୍ଷା ମଧ୍ୟରେ ନେଇ ସ୍ୱାମୀ ବବଲୁଙ୍କ ଘରେ ଛାଡ଼ି ଦେବାକୁ ଅଦାଲତ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଆଇନକୁ ନିଜ ହାତକୁ ନ ନେବା ଏବଂ ପତିପତ୍ନୀଙ୍କୁ ଧମକ ନ ଦେବା ନିମନ୍ତେ ସୁଲେଖାଙ୍କ ପରିବାରବର୍ଗଙ୍କୁ ପରାମର୍ଶ ଦେବାକୁ ମଧ୍ୟ ଅଦାଲତ ପୁଲିସକୁ କହିଛନ୍ତି। ପତିପତ୍ନୀ ବାସ କରୁଥିବା ଅଞ୍ଚଳର ବିଟ କନେଷ୍ଟବଳଙ୍କ ନମ୍ବର ମଧ୍ୟ ଉଭୟଙ୍କୁ ଦିଆଯାଉ ବୋଲି ଅଦାଲତ କହିଛନ୍ତି। ଆବଶ୍ୟକ ହେଲେ ସେମାନେ ପୁଲିସ ସହ ଯୋଗାଯୋଗ କରିବେ।



Visitors Today : 0
Total Visitors : 130184
Total Views : 9891638
Visitors Online Now : 0