ନୂଆଦିଲ୍ଲୀ: ଅନିଶ୍ଚିତତା ଭିତରେ ଗତି କରୁଥିବା ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ସମେତ ମୋଟ ୧୧ ପ୍ରସଙ୍ଗ ଉପରେ ବିସିସିଆଇ (ଭାରତୀୟ କ୍ରିକେଟ୍ ବୋର୍ଡ)ର ଶୁକ୍ରବାର ଶୀର୍ଷ ପରିଷଦ ବୈଠକରେ ଆଲୋଚନା ପାଇଁ ଏଜେଣ୍ଡା ତିଆରି ହୋଇଥିଲା। ହେଲେ ଆଇପିଏଲ୍ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ। ବିଶେଷକରି ଅଷ୍ଟ୍ରେଲିଆରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାଗ୍ୟ ଆଇସିସି ନିର୍ଣ୍ଣୟ ନକରିବା ପର୍ୟ୍ୟନ୍ତ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ନିଷ୍ପତ୍ତି ନେଇପାରୁନି। ପୁଣି ଭାରତରେ ସାଂପ୍ରତିକ କରୋନା ମହାମାରୀର ପ୍ରକୋପ ଯେଭଳି ବଢ଼ିବଢ଼ି ଚାଲିଛି ସେଥିରେ ଚଳିତ ବର୍ଷ ଆଇପିଏଲ୍ ହେବା ଆଶା କ୍ଷୀଣ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଇପିଏଲ୍ ଫ୍ରାଞ୍ଚାଇଜ୍ମାନେ ଏହାକୁ ଯେକୌଣସି ଉପାୟରେ ୟୁଏଇ (ୟୁନାଇଟେଡ୍ ଆରବ ଏମିରେଟ୍ସ)ରେ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ମୁଖ୍ୟତଃ ଚାର୍ଟର୍ଡ ବିମାନ ଏବଂ ହୋଟେଲ ଚୟନ ଉପରେ ଫ୍ରାଞ୍ଚାଇଜ୍ମାନେ ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ ଚାର୍ଟର୍ଡ ବିମାନ ଭଡ଼ାରେ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ବିମାନରେ ୩୫ରୁ ୪୦ ଜଣ ନିରାପଦରେ ଯାତ୍ରା କରିପାରିବେ। ପ୍ରତି ଦଳରେ ମଧ୍ୟ ୩୫ରୁ ୪୦ ସଦସ୍ୟ ରହିଥିବାରୁ ଚାର୍ଟର୍ଡ ବିମାନ ବ୍ୟବସ୍ଥା ହିଁ ଶ୍ରେଷ୍ଠ ବିକଳ୍ପ ହେବ ବୋଲି କୁହାଯାଇଛି। ଆବୁଧାବିରେ କିପରି ସେମାନେ ପ୍ରଶିକ୍ଷଣ ଓ ପ୍ରସ୍ତୁତି ସୁଚାରୁରୂପେ କରିପାରିବେ ତାହା ଉପରେ ନଜର ପକାଇଛନ୍ତି। ବିସିସିଆଇ ମଧ୍ୟ ୟୁଏଇରେ ପୂରା ଆଇପିଏଲ୍ କରିବା ସ୍ଥିତିରେ ରହିଛି। ଏଥିପାଇଁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୭ ତାରିଖ ପର୍ୟ୍ୟନ୍ତ ଆନୁମାନିକ ବାଟ ବାହାର କରିଛି। ତଥାପି ୟୁଏଇକୁ ଆଇପିଏଲ୍ ନେବା ପାଇଁ ବିସିସିଆଇ ଭାରତ ସରକାଙ୍କ ଅନୁମୋଦନ ଲୋଡ଼ିଛି। ଖେଳାଳି ଏବଂ ଦଳୀୟ ଅଧିକାରୀମାନଙ୍କୁ ୟୁଏଇ ଯିବା ପାଇଁ ଆବଶ୍ୟକ ଭ୍ରମଣ ଅନୁମତି ଦେବାକୁ ସରକାରଙ୍କୁ କହିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0