ମୁମ୍ବାଇ: ବିସିସିଆଇ ମହାପ୍ରବନ୍ଧକ ସବା କରିମ୍ ପଦତ୍ୟାଗ କରିଛନ୍ତି । ପଦରୁ ଇସ୍ତଫା ଦେବା ପାଇଁ ବିସିସିଆଇ ଏକରକମ ବାଧ୍ୟ କରିଥିବା ଜଣାପଡ଼ିଛି । ୨୦୧୭ ଡିସେମ୍ବରରେ ରାହୁଲ ଜୋହରି ସିଇଓ ଥିଲା ବେଳେ କରିମ୍ ବିସିସିଆଇରେ ପଦ ଅଳଂକୃତ କରିଥିଲେ। ଏବେ ଜୋହରିଙ୍କ ଇସ୍ତଫା ଦେବାର ଗୋଟିଏ ସପ୍ତାହ ପରେ କରିମ୍ଙ୍କୁ ବିତାଡ଼ିତ କରାଯାଇଛି। କରିମ୍ଙ୍କ ଇସ୍ତଫା ନେଇ ବିସିସିଆଇ ଆନୁଷ୍ଠାନିକ ଘୋଷଣା କରିନଥିଲା ବେଳେ ପଦ ଛାଡ଼ିବାର କାରଣ ମଧ୍ୟ ସ୍ପଷ୍ଟ କରିନି।
୨୦୧୭ରେ ବିସିସିଆଇ ଦ୍ୱାରା ମହାପ୍ରବନ୍ଧକ ପଦରେ ନିଯୁକ୍ତ ହୋଇଥିବା କରିମ୍ ଭାରତ ପାଇଁ ଗୋଟିଏ ଟେଷ୍ଟ୍ ଓ ୩୪ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ । ଘରୋଇ କ୍ରିକେଟ୍ ପାଇଁ ତାଙ୍କ ଯୋଜନାରେ ବୋର୍ଡ ସନ୍ତୁଷ୍ଟ ନଥିବା ଜଣାପଡ଼ଛି । କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ଘରୋଇ କ୍ରିକେଟ୍ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସେ ସକ୍ଷମ ହୋଇନଥିଲେ। କରିମ ଘରୋଇ କ୍ରିକେଟ୍ ଫେରିବାର କୌଣସି ଯୋଜନା ପ୍ରଣୟନ କରିପାରିନଥିବାରୁ ଚଳିତ ବର୍ଷ ଡିସେମ୍ବର ପୂର୍ବରୁ ଆରମ୍ଭ ହେବାର ସମ୍ଭାବନା ନାହିଁ। ପୁଣି ଆଇପିଏଲ୍ ଯଦି ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ କରାଯାଏ, ତାହାଲେ ସେହି ସମୟରେ ଘରୋଇ କ୍ରିକେଟ୍ ଆଦୌ ଖେଳାଯାଇପାରିବନି। ତେଣୁ କରିମ୍ ତାଙ୍କ କାର୍ଯ୍ୟ ତୁଲାଇବାରେ ଅସମର୍ଥ ବୋଲି ବିସିସିଆଇ ଅନୁଭବ କରି ତାଙ୍କୁ ଇସ୍ତଫା ଦେବାପାଇଁ ବାଧ୍ୟ କରିଥିବା କୁହାଯାଉଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0