ନୂଆଦିଲ୍ଲୀ: ବିପର୍ୟ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର କୋଭିଡ-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି ଦେଶର ଶୀର୍ଷ ଅଦାଲତ ସୁପ୍ରିମ କୋର୍ଟ ଆଜି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ ଏମଆର ଶାହାଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଆଜି ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ କୋଭିଡ-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଫଳରେ ତାହା ସେମାନଙ୍କ ପାଇଁ ଏକ ସାମାଜିକ କଳଙ୍କର କାରଣ ହେଉଛି। ଏଥିସହ ଏପରି କରିବା ଦ୍ୱାରା ରୋଗୀର ଗୋପନୀୟତା ଅଧିକାର ମଧ୍ୟ କ୍ଷୁଣ୍ଣ ହେଉଛି। ଶୁଣାଣି କାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ-୧୯ ଗାଇଡଲାଇନରେ ଏପରି କୌଣସି ପ୍ରସ୍ତାବ ଦିଆଯାଇ ନଥିଲା; ତେବେ ନିଜ ନିଜ ଅଞ୍ଚଳରେ କୋଭିଡ-୧୯ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜେ ଏହାକୁ କାର୍ୟ୍ୟକାରୀ କରିଥାଇ ପାରନ୍ତି ବୋଲି ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ। ଏହା ଶୁଣିବା ପରେ ବିପର୍ୟ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିଲେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାର କୋଭିଡ-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0