ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ସାମୟିକ ଭାବେ ବିମାନ ବନ୍ଦ । ବିମାନ ଚଳାଚଳ ଅବଧିକୁ କେନ୍ଦ୍ର ସରକାର ୨୦୨୧ ଜାନୁଆରି ୭ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଥିବା କଥା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି। କରୋନାଭାଇରସର ଗୁଣସୂତ୍ର ପରିବର୍ତ୍ତିତ ପ୍ରଜାତି ବା ନୂଆ ଷ୍ଟ୍ରେନ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଦୁଇ ଦେଶ ମଧ୍ୟରେ ବିମାନ ଯାତାୟତ ବାତିଲ କରାଯାଇଥିଲା। ଟୁଇଟ କରି ପୁରୀ କହିଛନ୍ତି, ଭାରତରୁ ଇଂଲଣ୍ଡ ଯାଉଥିବା ଓ ଇଂଲଣ୍ଡରୁ ଭାରତକୁ ଆସୁଥିବା ବିମାନଗୁଡ଼ିକର ସାମୟିକ ସ୍ଥଗିତକରଣ ୨୦୨୧ ଜାନୁଆରି ୭ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପରେ କଡ଼ା ନିୟନ୍ତ୍ରଣରେ ବିମାନ ଚଳାଚଳ ଆରମ୍ଭ ହେବ। ଖୁବ ଶୀଘ୍ର ସେଥିପାଇଁ ସବିଶେଷ ବିବରଣୀ ଘୋଷଣା କରାଯିବ। ଇଂଲଣ୍ଡ୍ରେ ନୂଆ ଷ୍ଟ୍ରେନର କରୋନାଭାଇରସ ସଂକ୍ରମଣ ଚିହ୍ନଟ ହେବା କାରଣରୁ ଭାରତ ଗତ ସପ୍ତାହରୁ ଏ ମାସ ଶେଷ ପର୍ୟ୍ୟନ୍ତ ଇଂଲଣ୍ଡରୁ ଭାରତ ଆସୁଥିବା ବିମାନଗୁଡ଼ିକୁ ବାତିଲ କରିଥିଲା। କେବଳ ଭାରତ ନୁହେଁ ବିଶ୍ୱର ଅନ୍ୟାନ୍ୟ ଅନେକ ଦେଶ ମଧ୍ୟ ଇଂଲଣ୍ଡ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0