କଟକ : କଟକରୁ ଏକ କ୍ୱିଣ୍ଟାଲରୁ ଅଧିକ ସିନ୍ଥେଟିକ ପନିର ଜବତ ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୁଲିସ। ତାଙ୍କ ନାଁ ଶୁକଦେବ ସାହୁ। ତାଙ୍କ ବିରୋଧରେ ଖାଦ୍ୟ ନିରାପତ୍ତା ଆଇନର ୫୧, ୫୨, ୫୩ ଏବଂ ୫୯ ଦଫା ଲାଗିଛି। ଏହି ବ୍ୟବସାୟରେ ଆଉ କିଛି ଲୋକଙ୍କ ସଂପୃକ୍ତି ମଧ୍ୟ ରହିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ପୁଲିସ୍ ଚିହ୍ନଟ କରିସାରିଥିବା ଜଣାପଡ଼ିଛି। ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ। ସେହିଭଳି ଯେଉଁ ଦୋକାନୀମାନେ ଏହି ପନିର କିଣୁଥିଲେ ସେମାନଙ୍କ ଦୋକାନରେ ରେଡ କରିବ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେଲା କଟକ, ଏହାର ଆଖପାଖ ଅଞ୍ଚଳ ତଥା ପାଖ ଜିଲ୍ଲା ଗୁଡ଼ିକରେ ଏହି ନକଲି ପନିର ବେପାର ଚାଲିଆସୁଥିଲା। କେତେକ ଅସାଧୁ ବ୍ୟବସାୟୀ ଏହି ସିନ୍ଥେଟିକ ପନିରକୁ କିଲୋପ୍ରତି ୬୦ ଟଙ୍କାରେ କିଣି ୨୨୦ ଟଙ୍କାରେ ବିକୁଥିଲେ। ବିଭିନ୍ନ କେମିକାଲ ପଡ଼ୁଥିବାରୁ ଏହି ପନିର ଖୋଲାରେ ମଧ୍ୟ ଦୁଇରୁ ତିନି ଦିନ ପୂରା ଫ୍ରେଶ୍ ରହୁଥିଲା। ଗତକାଲି ଭୋର ୪ଟାରେ କଲିକତାରୁ ଆସି କଟକରେ ପହଞ୍ଚିଥିବା ଏକ ବସକୁ ଓଏମ୍ପି ଛକରେ ଅଟକାଇ ଯାଞ୍ଚ କରିଥିଲା କମିଶନରେଟ୍ ପୁଲିସ ଓ କଟକ ମହାନଗର ନିଗମ ଟିମ। ଏହି ସମୟରେ ବସ ଡିକିରୁ ବ୍ୟାରେଲ ଭର୍ତ୍ତି ପନିର ମିଳିଥିଲା, ଯାହାର ଓଜନ ଏକ କ୍ୱିଣ୍ଟାଲ୍ରୁ ଅଧିକ ଥିଲା। ତେଜ, ସଫେଦ ଓ ଚକାଚକ ଦିଶୁଥିବା ପନିର ନକଲି ବୋଲି ଜଣାପଡ଼ିଥିଲା। ଲୁଗାସଫା ଡିଟରଜେଣ୍ଟ, ମଇଦା, ୟୁରିଆ, ଗ୍ଲିସେରିନ, ସଲଫ୍ୟୁରିକ ଏସିଡ୍ ଓ କିଛି ନଷ୍ଟ ହୋଇଯାଇଥିବା କ୍ଷୀର ଆଦିକୁ ମିଶାଇ ଏହି ପନିର ତିଆରି କରାଯାଇଥିଲା, ଯାହାକୁ ଦେଖିଲେ ସହଜରେ ନକଲି ବୋଲି ଜାଣି ହେବନାହିଁ। ପୁଲିସ ଏହି ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0