ପୁରୀ : ଶେଷରେ ବାହାର ଭକ୍ତଙ୍କୁ ମିଳିଛି ମହାପ୍ରଭୁଙ୍କ ଦର୍ଶନ। ଦୀର୍ଘ ୯ ମାସ ପରେ ଆଜିଠାରୁ ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ପ୍ରସ୍ତୁତିପର୍ବ ଶେଷ ହୋଇ ସାରିଛି। ପୁରୀ ସହରବାସୀଙ୍କ ପରୀକ୍ଷାମୂଳକ ଦର୍ଶନ ଶେଷ ପରେ ସମାନ ବ୍ୟବସ୍ଥାରେ ବାହାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ଭକ୍ତଙ୍କୁ ୯୬ ଘଣ୍ଟାର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଧାଡ଼ି ଦର୍ଶନ ପାଇଁ ମାର୍କେଟ ଛକରୁ ବାରିକେଡ ବ୍ୟବସ୍ଥା ହୋଇଛି। ବ୍ୟାପକ ପୁଲିସ ମୁତୟନ କରାଯାଇଛି। କରୋନା ମହାମାରୀ ପାଇଁ ମାର୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। କେବଳ ନୀତିକାନ୍ତି ସ୍ବାଭାବିକ ଚାଲିଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତମାନେ ହାତ ସାନିଟାଇଜ କରିବେ। ସାମାଜିକ ଦୂରତା ରକ୍ଷା ପୂର୍ବକ ଦର୍ଶନ ହେବ। ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି କେହି ସ୍ପର୍ଶ କରିବେନି। ଫୁଲ, ଭୋଗ, ଦୀପ ଆଦି ନେବାରେ କଟକଣା ଲାଗିଛି। କୌଣସି ପରିସ୍ଥିତିରେ ବି ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଦୀପ ଜାଳି ପାରିବେନି। କେହି ବି ଭକ୍ତ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରି ପାରିବେନି। ମହାପ୍ରସାଦ କିଣିବା ପରେ ବାହାରେ ଆଣି ଖାଇପାରିବେ। ପାନ, ଗୁଟଖା ଆଦି ଖାଇ ମନ୍ଦିରରେ ପ୍ରବେଶରେ ବି କଟକଣା ଲଗାଯାଇଛି। ଶ୍ରୀମନ୍ଦିର ଭିତରେ ଛେପ ପକାଇବାରେ ବି କଟକଣା ଲାଗିଛି। ଭକ୍ତଙ୍କ ପାଇଁ ଜଗନ୍ନାଥ ବଲ୍ଲଭରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି। ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ବୟସ, ଗର୍ଭବତୀ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଦର୍ଶନ ବାରଣ କରାଯାଇଛି। ମାର୍କେଟ ଛକରୁ ଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟ ପର୍ୟ୍ୟନ୍ତ ବାରିକେଡରେ ପ୍ରବେଶ ପୂର୍ବରୁ କୋଭିଡ ରିପୋର୍ଟ ଦେଖାଇବାକୁ ପଡ଼ିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0