spot_img

କରୋନା ଟିକା କରଣକୁ ନେଇ ମମତା ବାନାର୍ଜୀଙ୍କ ବଡ ଘୋଷଣା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟିକା କରଣକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟର ସମସ୍ତ ନାଗରିକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣା କରୋନା ଟିକା ପ୍ରଦାନ କରାଯିବ । ଏନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ମମତା ସରକାରଙ୍କ ବଡ ଘୋଷଣା ବୋଲି କୁହାଯାଉଛି । ଦେଶରେ ଟିକା କରଣ ଆରମ୍ଭ ହେବା ପୂର୍ବରୁ ପ୍ରଥମଥର ପାଇଁ ବିହାର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ବିହାରରେ ବିଜେପି ସରକାରକୁ ଆସିଲେ ମାଗଣା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ଏହା ପରେ ଅନେକ ରାଜ୍ୟ ବି ସେମାନଙ୍କ ରାଜ୍ୟର ନାଗରିକ ମାନଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି । ଦେଶରେ ଚଳିତ ମାସ ୧୬ ତାରିଖରୁ ପ୍ରଥମ ପର୍ୟ୍ୟାୟ ଟିକାକରଣ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ଆଗ ଧାଡିର କୋଭିଡ ଯୋଦ୍ଧା ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ । ପ୍ରଥମ ପର୍ୟ୍ୟାୟରେ ଦେଶର ୩ କୋଟି ନାଗରିକଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏନେଇ ଟିକାକରଣ ପୂର୍ବରୁ ଡ୍ରାଏ ରନ ବା ପ୍ରାକ ପ୍ରସ୍ତୁତି କରିସାରିଛନ୍ତି ସରକାର । ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନଡ୍ଡା ବେଙ୍ଗଲରେ ‘ମୁଠିଏ ଚାଉଳ’ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟର ୭୪ ଲକ୍ଷ ଚାଷୀ ପରିବାରଙ୍କୁ ଭେଟି ସେମାନଙ୍କୁ ନୂତନ କୃଷି ଆଇନ ବାବଦରେ ବୁଝାଇବା ସହ ସେମାନଙ୍କ ଠାରୁ ମୁଠିଏ ଲେଖାଏଁ ଚାଉଳ ଆଦାୟ କରିବାକୁ ଦଳୀୟ କର୍ମୀଙ୍କୁ କହିଛନ୍ତି ଶ୍ରୀ ନଡ୍ଡା । ଏହାକୁ ନଜରରେ ରଖି ଆଜି ମମତା ବାନାର୍ଜୀ ମାଗଣା କରୋନା ଟିକା ନେଇ ଘୋଷଣା କରିଛନ୍ତି । ରାଜନୀତିର ପଶାପାଲିରେ ଏବେ ମମତା ଓ ବିଜେପିର ଲଢେଇ ବେସ୍ ଜୋର ଧରିଛି । ନିର୍ବାଚନ କେବେ ହେବ ସେଥିପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ମୁଠିଏ ଚାଉଳ ଓ ମାଗଣା ଟିକା କାହାକୁ କେତେ ସହାୟକ ହେବ ତାହା ତ ସମୟ କହିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular