ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିଶେଷକରି ଜେଲରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତା’ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ସେଥିପାଇଁ ଝାରପଡ଼ା ଜେଲରେ କଏଦୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୪ଟି କ୍ୱାରେଣ୍ଟାଇନ୍ ୱାର୍ଡର ବ୍ୟବସ୍ଥା କରାଯାଇଛି । ଜେଲକୁ ଆସୁଥିବା ନୂଆ କଏଦୀଙ୍କ ପାଇଁ କୋଭିଡ଼୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଥିବା କଏଦୀଙ୍କ ଭିତରୁ ଯଦି କାହାର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ବାହାରେ, ତାହାଲେ ସେମାନଙ୍କ ଲାଗି ଅନ୍ୟ ଏକ ଵାର୍ଡର ବ୍ୟବସ୍ଥା ହୋଇଛି। ଜେଲ୍ର ଡାକ୍ତର ସେମାନଙ୍କୁ ନିୟମିତ ଚିକିତ୍ସା କରୁଥିବା ବେଳେ ଯଦି କାହାର କରୋନା ଲକ୍ଷଣ ପ୍ରକାଶ ପାଏ, ସେମାନଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ ହୋଇଛି। କଏଦୀ ଓ କର୍ମଚାରୀଙ୍କ ଲାଗି ୩ ହଜାର ମାସ୍କ ଯୋଗାଇ ଦିଆଯାଇଥିବା ବେଳେ ପ୍ରବେଶ ପଥ ନିକଟରେ ସ୍କ୍ରିନିଂ ଓ ସାନିଟାଇଜ୍ କରାଯିବାର ବ୍ୟବସ୍ଥା ହୋଇଛି। କଏଦୀ ଓ କର୍ମଚାରୀମାନଙ୍କ ପ୍ରବେଶ ସମୟରେ ଫାଟକ ନିକଟରେ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଏହା ପରେ ଶରୀରରେ ଅମ୍ଳଜାନର ପରିମାଣ କେତେ ରହିଛି, ତାହା ଜାଣିବା ଲାଗି ଅକ୍ସିମିଟର ପରୀକ୍ଷା କରାଯାଉଛି। ସାନିଟାଇଜର୍ ମାଧ୍ୟମରେ ହାତକୁ ସାନିଟାଇଜ୍ କରାଯାଉଥିବା ବେଳେ ହିଟର୍ରେ ଗରମ ହେଉଥିବା ଲୁଣ ସେକ ନେଇ ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଥିବା ଝାରପଡ଼ା ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ ସୂଚନା ଦେଇଛନ୍ତି। ପ୍ରତି କଏଦୀଙ୍କୁ ଗୋଟିଏ ଲେଖାଁଏ ସାବୁନ ମଧ୍ୟ ଯୋଗାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଝାରପଡ଼ା ଜେଲରେ ଆଜି ସୁଦ୍ଧା କୌଣସି କର୍ମଚାରୀ କିମ୍ବା କଏଦୀ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି। ଆଜି କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୧୪୪ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି। ଆଗକୁ କଟକଣା ଆହୁରି କଡ଼ାକଡ଼ି କରାଯିବ ବୋଲି ଅଧୀକ୍ଷକ ଶ୍ରୀ ବାରିକ୍ ସୂଚନା ଦେଇଛନ୍ତି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0