ଭୁବନେଶ୍ବର : ଓଡ଼ିଶାରେ ବାର୍ଡ଼ ଫ୍ଲୁ ସଂକ୍ରମଣ ନାହିଁ। ଏ କଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସ୍ପଷ୍ଟ କରିସାରିଛି। ତଥାପି ସଂକ୍ରମଣ ପ୍ରତିହତ ପାଇଁ ସବୁ କୁକୁଡ଼ା ଫାର୍ମକୁ ନିୟମିତ ବିଶୋଧନ କରାଯିବ। ବିଭାଗୀୟ ଶାସନ ସଚିବ ଆର. ରଘୁପ୍ରସାଦ ସମୀକ୍ଷା କରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଉପଖଣ୍ଡ ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଭିଆନ ଫ୍ଲୁ ନିୟନ୍ତ୍ରଣ ପାଇଁ ବିଭାଗ ପକ୍ଷରୁ ଜାରି ଏସଓପି ସମ୍ପର୍କରେ ସମସ୍ତଙ୍କୁ ବୈଠକରେ ଅବଗତ କରାଯାଇଥିଲା। କୁକୁଡ଼ା ଫାର୍ମ ମାଲିକ, କୁକୁଡ଼ା ଚାଷୀ ଓ କୁକୁଡ଼ା ମାଂସ ଓ ଅଣ୍ଡା ଦୋକାନୀମାନେ ସତର୍କ ରହି ନିଜର ଫାର୍ମ, କୁକୁଡ଼ା ଘର ଓ ଦୋକାନ ପରିସର ସଫସୁତରା ରଖିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ବିଶେଷକରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦ୍ବାରା ୫ଟି ନିରୀକ୍ଷଣ ଦଳ ଗଠନ କରାଯାଇ କୁକୁଡ଼ା ମାଂସ ଓ ଅଣ୍ଡା ଦୋକାନ ଏବଂ ପାର୍ଶ୍ବବର୍ତ୍ତୀ କୁକୁଡ଼ା ଫାର୍ମଗୁଡ଼ିକର ନିରୀକ୍ଷଣ କରାଯାଉଛି। ବାର୍ଡ଼ ଫ୍ଲୁଠାରୁ ଦୂରେଇ ରହିବା ପାଇଁ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଳ ଭାବେ ସିଝାଇ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0