ଭୁବନେଶ୍ୱର: କିଡନୀ ଦଲାଲ ହିଂମାଶୁ ଭୂଷଣ ନନ୍ଦଙ୍କୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୁଲିସ । ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଗତକାଲି କମିଶନରେଟ ପୁଲିସକୁ ଅନୁମତି ଦେଇଛନ୍ତି । ତେଣୁ ପୁଲିସ ହିମାଂଶୁଙ୍କୁ ରିମାଣ୍ଡରେ ନେଇ ଖୋଲିପାରେ ପୁରା ନେଟୱର୍କ ଗୁମର । କିଡନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି ହିଂମାଶୁ । ତେଣୁ ଏହି ଠକେଇ ପଛରେ କିଏ କିଏ ସାମିଲ ତାକୁ ନେଇ ତଦନ୍ତ ହେବ । ହସ୍ପିଟାଲ, ଡାକ୍ତର ଓ କିଡନୀ ଡୋନରଙ୍କ ଲିଙ୍କ ସମ୍ପର୍କରେ ରିମାଣ୍ଡ ସମୟରେ ପଚରାଉଚରା କରାଯାଇପାରେ । ତାସହ ହିଂମାଶୁଙ୍କ ସମ୍ପତ୍ତି ସମ୍ପର୍କରେ ବି ତଥ୍ୟ ଯୋଗାଡ଼ କରିଛି ପୋଲିସ । ହିଂମାଶୁ କିଡନୀ ଦେବା ନାଁରେ ୩୦ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ, କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସ। ସେ ବାଲେଶ୍ୱରର ଜଣଙ୍କଠାରୁ ୫ଲକ୍ଷ୍ୟ ୫୦ ହଜାର ଓ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କଠୁ ୩ଲକ୍ଷ ୧୯ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ କିଡନୀ ଆଶାୟୀ ଅଭିଯୋଗ କରିବା ପରେ ନୟାପଲ୍ଲୀ ପୁଲିସ ହିମାଂଶୁକୁ ଗିରଫ କରିଥିଲା। କିଡନୀ ଆଶାୟୀ ହସ୍ପିଟାଲରେ ପହଞ୍ଚି ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ପରେ ହିମାଂଶୁର କାରସାଦି ଧରାପଡିଥିଲା। ଏଥିସହ ନକଲି କାଗଜପତ୍ର ଜରିଆରେ ଲୋକଙ୍କୁ ଠକିବାକୁ ହିମାଂଶୁ ଜାଲ ବିଛାଇଥିବା ଜଣାପଡ଼ିଥିଲା। ପୁଲିସର ସୂଚନା ଅନୁଯାୟୀ ହିମାଂଶୁ ନିଜର ଜଣେ ସହଯୋଗୀ ସମୀର ସୁବୁଦ୍ଧିକୁ ଏଥିପାଇଁ ବ୍ୟବହାର କରୁଥିଲା । ସମୀର କିଡନୀ ଦେବ ବୋଲି କହି ତାକୁ ରୋଗୀଙ୍କ ସହିତ ଆବଶ୍ୟକ ପରୀକ୍ଷଣ ଲାଗି କୋଲକତା ବି ପଠାଇଥିଲା ।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0