ଭୁବନେଶ୍ବର : ରାଜ୍ୟର ତାପମାତ୍ରା ଏବେ ଧୀରେଧୀରେ ଖସିବାରେ ଲାଗିଛି। ଶୀତ ବି ବଢ଼ିଛି। ଫୁଲବାଣୀ ୫.୮ ଡିଗ୍ରି ସହ ପୁଣି ଥରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ଆଜି ରାଜ୍ୟର ୬ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ୮ ସହର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି। ଏଥିସହ ରାଜ୍ୟର ପ୍ରାୟ ଅଞ୍ଚଳ ବିଳମ୍ବିତ ସମୟ ପର୍ୟ୍ୟନ୍ତ କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହୁଛି। ଆଜି ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଥିଲା। ତେବେ ଜଗତସିଂହପୁର, କଟକ ଓ ଭଦ୍ରକ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଅନ୍ୟପଟେ ଝାରସୁଗୁଡ଼ିରେ ପ୍ରବଳ ଶୀତ ଲହରି ପ୍ରବାହ ଯୋଗୁଁ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରି ତଳକୁ ଖସି ଆସିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ଆଜି ବି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ା ୭.୬ ଡିଗ୍ରି, ସୁନ୍ଦରଗଡ଼ ୮.୫ ଡିଗ୍ରି, ଦାରିଙ୍ଗବାଡ଼ି ୮ ଡିଗ୍ରି, କେନ୍ଦୁଝର ୯.୯ ଡିଗ୍ରି ଓ ବଲାଙ୍ଗୀର ୧୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ୬ ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ଏଥିସହ ୮ଟି ଅଞ୍ଚଳର ତାପମାତ୍ରା ୧୨ ଡିଗ୍ରି ତଳକୁ ରହିଛି। ଉପକୂଳ ଓଡ଼ିଶାର ତାପମାତ୍ରା ସ୍ବାଭାବିକ ରହିଥିବା ବେଳେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ପର୍ୟ୍ୟନ୍ତ କମ ରହିଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0