ଲକ୍ଷ୍ନୌ: କୋଭିଡ-୧୯ ଟିକା ନେବାର ୨୪ ଘଣ୍ଟା ପରେ ରବିବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶର ମୋରାଦାବାଦ ସରକାରୀ ଡାକ୍ତରଖାନାର ଜଣେ ୪୬ ବର୍ଷିୟ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। କିନ୍ତୁ, ଟିକା ସହ ଉକ୍ତ କର୍ମଚାରୀଙ୍କ ମୃତ୍ୟୁର କୌଣସି ସମ୍ବନ୍ଧ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ଛାତି ରୁନ୍ଧି ହୋଇ ଅଣନିଃଶ୍ୱାସୀ ହୋଇଯିବାରୁ ଓ୍ଵାର୍ଡ ବୟ ଭାବେ କାମ କରୁଥିବା ମହୀପାଳ ସିଂହଙ୍କର ମୃତ୍ୟୁ ଘଟିଛି। ଟିକା ନେବା ପରେ ସେ ଅସୁସ୍ଥ ଅନୁଭବ କରୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଗତ ବିଳମ୍ବିତ ରାତ୍ରୀରେ ମୋରାଦାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମସି ଗର୍ଗ କହିଛନ୍ତି, ଶନିବାର ମଧ୍ୟାହ୍ନ ସମୟରେ ତାଙ୍କୁ ଟିକା ଦିଆଯାଇଥିଲା। ତାଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରୁଛୁ। ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ। ଏହା ଟିକାର ପ୍ରତିକ୍ରିୟାଜନିତ ମୃତ୍ୟୁ ପରି ମନେହେଉନାହିଁ। ଶନିବାର ରାତିରେ ମଧ୍ୟ ସେ ଡିୟୁଟି କରିଥିଲେ ଏବଂ ତାଙ୍କର କୌଣସି ଅସୁବିଧା ହୋଇ ନ ଥିଲା। ଉତ୍ତର ପ୍ରଦେଶ ସରକାରଙ୍କ କହିବା ଅନୁସାରେ, ହୃତପିଣ୍ଡ ଏବଂ ଫୁସଫୁସଜନିତ ରୋଗ ଯୋଗୁଁ ହୃତପିଣ୍ଡକୁ ଆବଶ୍ୟକ ପରିମାଣର ରକ୍ତ ଉଠି ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା କଥା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0