spot_img

‘ବାପା ଖୋଲିଲେ ଗୁମର’

ଭୁବନେଶ୍ୱର: “ମୋ ଝିଅର ରାକେଶ ସ୍ୱାଇଁ ନାମକ ଯୁବକ ସହ ପ୍ରେମ ସମ୍ପର୍କ ଥିଲା। ଝିଅର ମୃତ୍ୟୁ ପାଇଁ ସେ ହିଁ ଦାୟୀ। ” ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାରେ ଏପରି କହିଛନ୍ତି ତାଙ୍କ ବାପା ରମାକାନ୍ତ ନାୟକ। ସେ କହିଛନ୍ତି, ରାକେଶ ସ୍ୱାଇଁ ନାମକ ଯୁବକ ଆମ ଗାଁରେ ଲିଫ୍ଟ ଇରିଗେସନରେ କାମ କରୁଥିଲା। ସେ ସମୟରେ ଝିଅ ସହ ଚିହ୍ନା ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସେମାନେ ଚାଟିଂ କରୁଥିଲେ ଓ ଫୋନରେ କଥାବାର୍ତ୍ତା ବି ହେଉଥିଲେ । ଏହା ଜାଣି ପରେ ମୁଁ ବାରଣ କରିଥିଲି। ତା’ସହିତ ଝିଅକୁ ମୁଁ ଠାକୁରମୁଣ୍ଡା ନେଇଯାଇଥିଲି। ମୁଁ ସେଠାରେ ରହେ। ରମାକାନ୍ତ ଆ଼ହୁରି କହିଛନ୍ତି, ୨୪ ତାରିଖରେ ଝାଡ଼େଶ୍ୱର ବସରେ ଝିଅ ଠାକୁରମୁଣ୍ଡା ମହୁଲିଆଠାରୁ ଭୁବନେଶ୍ୱର ଯାଇଥିଲା। ଚକ୍ରଧର ବେହେରା ନାମକ ବ୍ୟକ୍ତିଙ୍କ ଝିଅର ଜନ୍ମ ଦିନ ପାଳନ କରିବାକୁ ସେ ଯାଇଥିଲା। ତାଙ୍କ ସହିତ ବହୁ ଦିନର ସମ୍ପର୍କ ଥିବା ବେଳେ ସେ ଝରାଫୁଲଙ୍କୁ ଝିଅ କରିଥିଲେ। ୨୫ ତାରିଖରେ ଜନ୍ମଦିନ ପାଳନ କରିଥିବା ବେଳେ ୨୬ ତାରିଖରେ ଝିଅ ପୁଣି ଘରକୁ ଫେରିବା ପାଇଁ ଜୟଦେବ ବିହାରରୁ ବସରେ ବସିଥିଲା। ମାତ୍ର ସତସଙ୍ଗ ବିହାର ନିକଟରେ ସେ ବସରୁ ଓହ୍ଲାଇ ପଡ଼ିଥିଲେ। ଏ ସମ୍ପର୍କରେ ଛାତ୍ରୀ ଝରାଫୁଲ ନାୟକ ଚଢ଼ିଥିବା ବସର କଣ୍ଡକ୍ଟର କହିଛନ୍ତି, ଛାତ୍ରୀ ଜଣେ ଅଭିଭାବକଙ୍କ ସହ ଭୁବନେଶ୍ୱର ଜୟଦେବ ବିହାରରେ ଥିଲେ। ଜୟଦେବ ବିହାରରୁ ବସରେ ଏକା ଚଢ଼ିଥିଲେ ଏବଂ ସତସଙ୍ଗ ବିହାରରେ ଏକ ଜିନିଷ ରହିଯାଇଥିବା କହି ଓହ୍ଲାଇ ପଡ଼ିଥିଲେ। କିନ୍ତୁ ବାପାଙ୍କୁ ଫୋନ କରି ପେଟ କାଟୁଥିବାରୁ ବସରୁ ଓହ୍ଲାଇ ପଡ଼ିଥିବା କହିଥିଲେ ଝରାଫୁଲ। ଏଥିସହ ସାଙ୍ଗ ସୋନାଲି ଘରେ ଥିବା ବେଳେ ଭଲ ଲାଗିଲେ କଥା ହେବି ବୋଲି କହିଥିଲେ। ହେଲେ ଏହାପରେ ଫୋନ ରିସିଭ କରି ନ ଥିଲା। ଏହାପରେ ଗତକାଲି ସକାଳେ ଝରାପୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରୁ ରହସ୍ୟଜନକ ଭାବେ ଉଦ୍ଧାର ହୋଇଥିବା ନେଇ କୁଆଖାଇ ପୁଲିସ ଖବର ଦେଇଥିଲା। ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ସତ୍କାର କରାଯାଇଥିଲା। ଝରାଫୁଲଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବା ବେଳେ ତାଙ୍କ ମୃତ୍ୟୁ କିପରି ହେଲା, ତାକୁ ନେଇ ପୁଲିସ ଆରମ୍ଭ କରିଛି ତନାଘନା। ଅପରପକ୍ଷେ ତାଙ୍କୁ ସ୍କୁଟରରେ ବସାଇ ମୃତଦେହକୁ ଫିଙ୍ଗିଥିବା ୨ ଯୁବକଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି ଯାଜପୁର ଏସପି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular