ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀ ସମେତ ଅନେକ ପ୍ରାକୃତିକ ଦୁର୍ବିପାକରେ ସହାୟତା କରିଥିବା କହି ପ୍ରଧାନମନ୍ତ୍ରୀ ମୋଦୀ ଆଜି ‘ନ୍ୟାସନାଲ କାଡେଟ କର୍ପସ’କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ୟା ହେଉ କି, ଅନ୍ୟ କୌଣସି ଦୁର୍ବିପାକ ହେଉ, ଏ ଦେଶର ଜନତାଙ୍କୁ ‘ଏନସିସି’ କ୍ୟାଡେଟ ଗତବର୍ଷ ସାହାଯ୍ୟ କରିଛନ୍ତି। କରୋନା ସମୟରେ ସମଗ୍ର ଦେଶରେ ପ୍ରଶାସନ ଏବଂ ସମାଜ ସହ ମିଶି ଲକ୍ଷ ଲକ୍ଷ କ୍ୟାଡେଟ କାମ କରିଛନ୍ତି। ଏହା ପ୍ରଶଂସନୀୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମାଜରେ ଶୃଙ୍ଖଳା ରକ୍ଷା ନିମନ୍ତେ ‘ଏନସିସି’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଜାନୁଆରି ୨୬ ପରେଡରେ ତୁମ୍ଭେମାନେ ବିଚକ୍ଷଣ ପାରଦର୍ଶିତା ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିଛ। ଆମ୍ଭେ ଲକ୍ଷ୍ୟ କରିଛନ୍ତି ଯେ, ଶୃଙ୍ଖଳିତ ଦେଶମାନେ ସମଗ୍ର ବିଶ୍ୱରେ ଆଧିପତ୍ୟ ପ୍ରଦର୍ଶନ କରନ୍ତି। ଭାରତରେ ସାମାଜିକ ଜୀବନରେ ଶୃଙ୍ଖଳା ଆଣିବାରେ ‘ଏନସିସି’ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏନସିସି’ ସହାୟତା ଯୋଗୁଁ ଆଜି ଦେଶରୁ ନକ୍ସଲବାଦ ଲୋପ ପାଇ ମାତ୍ର ଅଳ୍ପ କେତୋଟି ଜିଲ୍ଲାରେ ରହିଛି। ‘ଏନସିସି’ରେ ବାଳିକା କ୍ୟାଡେଟ ୩୫% ବୃଦ୍ଧି ପାଇଥିବା କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଦିଲ୍ଲୀର କେରିପା ଗ୍ରାଉଣ୍ଡରେ ‘ଏନସିସି’ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0