ଭୁବନେଶ୍ୱର (ଚନ୍ଦନ ପଣ୍ଡା): “ଗୋଷ୍ଠୀକନ୍ଦଳ” ଏହି ନାମଟି ପଢିଲେ ଆଗକୁ ନଯାଇ ଆପଣମାନେ ମନରେ ଅନୁଭବ କରିପାରୁଥିବେ ଓଡିଶା ରାଜନୀତିରେ କେଉଁଠି ଅଧିକ ଖାପ ଖାଇବ ଏଇ ଶବ୍ଦଟି | ହଁ ଉତ୍ତର ଯାହାକୁ ପଚାରିଲେ ନିର୍ଦ୍ବନ୍ଦରେ କଂଗ୍ରେସ ହିଁ କହିବେ | ୨୦ବର୍ଷ ହେଲା କ୍ଷମତରୁ ବାହାରେ ତଥାପି ସଦାସର୍ବଦା ଚର୍ଚ୍ଚାରେ କଂଗ୍ରେସ କାରଣ “ପି .ସି .ସି କଳି ” |ବର୍ଷରେ ଦୁଇଥର ଅତି କମରେ ଅଧିକ ବି ହୋଇପାରେ ଆପଣମାନେ ଏଖବର ଗଣମାଧ୍ୟମରୁ ଶୁଣୁଥିବେ ଯେ ପି .ସି .ସି ସଭାପତି ପରିବର୍ତ୍ତନ ହେବା ଦରକାର | ଆଉ ଏ ପ୍ରସଙ୍ଗ ନେଇ କିଛି ନେତା ଦିଲ୍ଲୀ ଯାଇଥିବେ |ପୁଣି ଆଉ କିଏ ବନ୍ଧୁ ମିଳନ ନାମରେ ମେଳି ବାନ୍ଧିଥିବେ | ଏବେ ମଧ୍ୟ ସେହି ସମାନ ଅବସ୍ଥା କିଛି ନେତା ଦିଲ୍ଲୀ ଗସ୍ତରେ ଥିବା ବେଳେ ପ୍ରଭାରୀ ଚେଲା କୁମାର ସୈନ୍ୟ ସାମନ୍ତଙ୍କୁ ଧରି ବାହାରିଛନ୍ତି ଦକ୍ଷିଣ ଗଡ଼ ଦଖଲ କରିବାକୁ |ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ପୁରୁଣା ଗଡ଼ ବ୍ରହ୍ମପୁରରେ ଗାନ୍ଧୀଜୀଙ୍କ ତିରୋଧାନ ଦିବସ ପାଳନ ଅବସରରେ ଶକ୍ତି ପ୍ରଦର୍ଶନ କରିଛି କହିଲେ ଭୁଲ ହେବନି । ୨୦୦୦ ମସିହା ପୂର୍ବରୁ ଗଂଜାମ ଲୋକସଭା ମଣ୍ଡଳୀରେ ପ୍ରାୟ ସମସ୍ତ ପ୍ରାର୍ଥୀ ହିଁ କଂଗ୍ରେସ ର ଥିଲେ | ସେ ସମୟର ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଆସ୍କା ରେ ବାମପନ୍ଥୀ ଦଳ ସି .ପି .ଆଇ ର ମଧ୍ୟ ବିଶେଷ ପ୍ରଭାବ ଥିଲା | ଆଞ୍ଚଳିକ ଦଳ ବିଜୁ ଜନତା ଦଳର ଅଦ୍ଭୁଦୟ ପରେ ଚିତ୍ରପଟ ଧୀରେଧୀରେ ବଦଳିବାକୁ ଲାଗିଲା | କ୍ରମଶଃ ବିଜେଡି ହାତକୁ ଗଲା ଗଞ୍ଜାମ ଆଉ ଏବେ ବିଜେଡିର ଗଡ଼ କହିଲେ କିଛି ଆତ୍ୟୁକ୍ତି ହେବନି | ବ୍ରହ୍ମପୁର ଲୋକସଭା ଆସନ ରେ ୧୯୫୨ ରୁ ୨୦୧୯ ଭିତରେ ହୋଇଥିବା ୧୯ଟି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଦୁଇ ଥର , ସି.ପି .ଆଇ ପ୍ରାର୍ଥୀ ଥରେ ,ବିଜେପି ପ୍ରାର୍ଥୀ ଥରେ ଓ ବିଜେଡି ତିନି ଥର ଓ ବାକି କଂଗ୍ରେସ ହାତରେ ଥିଲା |ସେହିଭଳି ଆସ୍କା ଆସନ ରେ ୧୯୫୨ ରୁ ୨୦୧୯ ଭିତରେ ହୋଇଥିବା ୧୭ ଟି ନିର୍ବାଚନରେ ବିଜେଡି ୭ ଥର ,ଜନତା ଦଳ ତିନି ଥର ,ସି.ପି.ଆଇ ଥରେ ବାକି ଛଅ ଥର କଂଗ୍ରେସ ହାତରେ ଥିଲା | ୨୦୦୦ ମସିହା ଠାରୁ କଂଗ୍ରେସ ର ସିଟ୍ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି | ଆଉ ଏହା ଭିତରେ ଭାରତୀୟ ଜନତା ପାର୍ଟି ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଆସିଛି | ହାତ ଗଣତି ଆସନ ପାଇ ପ୍ରତିଟି ନିର୍ବାଚନରେ କଂଗ୍ରେସ ପରାଜୟ ଲାଭ କରି ଆତ୍ମସମୀକ୍ଷା କଥାକୁ ଦୋହରାଉଥିବା ବେଳେ ଭାଜପା ଆସନ୍ତା ନିର୍ବାଚନରେ ସରକାର କରିବାକୁ ଆଶାବାଦୀ ଅଛି |ଦୁଇ ଦଶନ୍ଧିର ବିଜୁ ଜନତା ଦଳ ସମସ୍ତଙ୍କୁ ପ୍ରତିହତ କରି ଷଷ୍ଠ ଥର ସରକାର କରି ଇତିହାସ ରଚିବା ପାଇଁ ଖସଡ଼ା ପ୍ରସ୍ତୁତ କରୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଳାରୁ କଂଗ୍ରେସ ଦେଇଛି ଋଣ ହୁଙ୍କାର | ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳନ ଆଳରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି କଂଗ୍ରେସ ର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ |
ଦଳ ବର୍ତ୍ତମାନ ଲଢ଼େଇ ଲାଗି ପ୍ରସ୍ତୁତ ଅଛି ବୋଲି ବାର୍ତ୍ତା ଦେଇଛନ୍ତି ଖଲ୍ଲିକୋଟ ମହାବିଦ୍ୟାଳୟ କ୍ରୀଡାଙ୍ଗନ ରୁ । ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ଲାଗି ଏକାଧିକ କାର୍ଯ୍ୟପନ୍ଥା ଘୋଷଣା କରିଛନ୍ତି। ପଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦ଟଙ୍କା ନ କମାଇଲେ ଆସନ୍ତା ଫେବ୍ରୁଆରି ୧୫ରେ ଓଡ଼ିଶା ବନ୍ଦ କରାଯିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଜେପି-ବିଜେଡିର ଦୁର୍ନୀତିକୁ ନେଇ କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପ୍ରତି ଏନ୍ଏସି ଓ ମ୍ୟୁନିସିପାଲଟିରେ ମଶାଲ ଶୋଭାଯାତ୍ରା କରାଯିବ ବୋଲି ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଜେନା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ପ୍ରଭାରୀ ଡ.ଚେଲ୍ଲାକୁମାର ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫-ଟି ଉପରେ ବର୍ଷିଥିଲେ। ୨୦୧୯ ଅକ୍ଟୋବର ୨ରୁ ମୋ ସରକାର ଆରମ୍ଭ ପୂର୍ବରୁ ଓଡ଼ିଶାରେ କାହା ସରକାର ଥିଲା। ମୋ ସରକାର ଓ ‘୫-ଟି ଯଦି ସରକାରଙ୍କ ଏକ ବିଭାଗ, ଓଡ଼ିଶା ଗେଜେଟ୍ରେ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନି। ଏ ଦ୍ବୟ ସୂଚନା ଅଧିକାର ପରିସରଭୁକ୍ତ ହୋଇଛି କି ନାହିଁ। ବର୍ତ୍ତମାନ ସରକାରରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ମଧ୍ୟରୁ କାହାର କ୍ଷମତା ଅଧିକ ବୋଲି ସେ ପ୍ରଶ୍ନ ପଚାରିଥିଲେ । ଡ.ଚେଲ୍ଲାକୁମାର କହିଥିଲେ, ପ୍ରତି କଥାରେ ବିଜେପି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦାବି କରୁଛି। ମୋ ସରକାର ଓ ୫-ଟିର ବିଜେପି ସିବିଆଇ ତଦନ୍ତ ଦାବି କାହିଁକି କରୁନାହିଁ ବୋଲି ପ୍ରଶ୍ନ କରିଥିଲେ। | ଏଠାରେ କହିରଖୁଛୁ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ମାନେ ଏ କଥା ସ୍ୱୀକାର କରିବେ ଯେ କଂଗ୍ରେସ ର ସଂଗଠନ କ୍ରମଶଃ ଦୁର୍ବଳ ଅବସ୍ଥାକୁ ଯାଉଛି | ଯାହାର ଭୋଟ ଭାଗ ଭାଗ ହୋଇ ଅଧିକ ଭାଜପା ଓ କମ ବିଜଦ ଆଡକୁ ଯାଉଛି | ତୃଣମୂଳରେ କଂଗ୍ରେସ ର କର୍ମୀମାନେ କାହାକୁ ବିଶ୍ୱାସ କୁ ନେବେ ସେ ନେଇ ଧର୍ମସଂକଟରେ ପଡିଲେଣି | ଏବଂ ପ୍ରମୁଖ୍ୟ ସମସ୍ୟା ହେଲା ଦୀର୍ଘଦିନ ହେବ କଂଗ୍ରେସ କ୍ଷମତାରେ ନାହିଁ |ଯାହା ଫଳରେ ଦଳୀୟ ମନମାନୀରେ ଶିକାର ହୋଇ ଅନେକ କର୍ମୀ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି |ଏହା ମଧ୍ୟ କଂଗ୍ରେସ ସଂଗଠନ ଉପରେ ବିଶେଷ ଭାବେ ପ୍ରଭାବ ପକାଉଛି | ତେଣୁ ଦକ୍ଷିଣ ଗଡରୁ ଋଣହୁଙ୍କାର ଆଗାମୀ ଦିନରେ କଂଗ୍ରେସ ସଂଗଠନକୁ କେତେ ମଜବୁତ କରିବ ତାହାତ ସମୟ କହିବ | କିନ୍ତୁ ଗୋଷ୍ଠୀକନ୍ଦଳ ଭିତରେ ସେନାପତି ସାଜିଥିବା ନିରଞ୍ଜନ ବାବୁ ଏବଂ ଡ.ଚେଲ୍ଲା ବାବୁ କଂଗ୍ରେସ କୁ ସଫଳତାର ସ୍ୱାଦ ଦେଇ ପାରିବେ କି ନାହିଁ ତାହା ଆମର ଶୁଦ୍ଧି ପାଠକ / ପାଠିକା ବନ୍ଧୁ ମାନଙ୍କ ଉପରେ ଛାଡିଲୁ ………



Visitors Today : 3
Total Visitors : 130169
Total Views : 9891615
Visitors Online Now : 0