spot_img

ମିଳୁନି ମୁଣ୍ଡ, ପୁଲିସର ତନାଘନା

ଭୁବନେଶ୍ୱର: ଭୁବନେଶ୍ୱର ଦାଶପୁର ନିକଟରୁ ଗତକାଲି ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିବା ବେଳେ ଏ ପର୍ୟ୍ୟନ୍ତ ମୁଣ୍ଡର ଟେର ପାଇପାରୁନି ପୁଲିସ। ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ତନାଘନା ଆରମ୍ଭ କରିଛି। ହେଲେ ମୁଣ୍ଡ ମିଳୁନଥିବାରୁ ମୃତ ମହିଳାଙ୍କ ପରିଚୟ ମିଳିପାରିନି। ଗତକାଲି ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଗତକାଲି ଭୁବନେଶ୍ୱର ଡିସିପି, ଫରେନସିକ ଟିମ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ମୁଣ୍ଡର ଟେର ମିଳି ପାରି ନଥିଲା। ଗତକାଲି ସନ୍ଧାନୀ କୁକୁର ଯାଞ୍ଚ ସମୟରେ ନିକଟସ୍ଥ ବାୟୋଟେକ ପାର୍କ ନିକଟରେ ଅଟକିଥିଲା। ଏହାପରେ ପୁଲିସ ଉକ୍ତ ପାର୍କରେ ଥିବା ସବୁ ରୁମକୁ ତଦନ୍ତ କରୁଛି। ମୃତଦେହ ପାଖରୁ ଛୁରୀ, ଗ୍ଲୋବସ ମିଳିଥିବା ବେଳେ ତଦନ୍ତ ଲାଗି ଏ ସବୁକୁ ଫୋରେନସିକ ଟିମ ସଂଗ୍ରହ କରି ଲ୍ୟାବକୁ ପଠାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ପରି ଏକ ଛୁରୀ ଉକ୍ତ କଲୋନୀରୁ ପୁଲିସ ପାଇଥିବା ବେଳେ ସେଠାରେ ମୃତଦେହ କିମ୍ବା ହତ୍ୟାର ଲିଙ୍କ ଥିବା ସନ୍ଦେହରେ ତନାଘନା କରୁଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଗତକାଲି ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ହତ୍ୟା କରାଯାଇଥିବା କହିଥିଲେ। ଏହାଛଡ଼ା ମୃତଦେହ ନିକଟରୁ ମଦ ବୋତଲ ମିଳିଥିବାରୁ ଦୁର୍ବୃତ୍ତ ମଦ ପଇବା ପରେ ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ମହିଳା କିଏ, କେଉଁଠୁ ଆସିଲେ, ତାଙ୍କୁ କିଏ ଆଣିଲା ଆଉ କାହିଁକି ମାରିଲା, ଦୁଷ୍କର୍ମ ଉଦ୍ଦେଶ୍ୟରେ ଆଣିଥାଇପାରେ ବୋଲି ବି ଯାଞ୍ଚ କରୁଛି ପୁଲିସ। ମୃତ ମହିଳାଙ୍କ ପରିଚୟ ଜାଣିବା ଲାଗି ୨ଟି ଜୋନ୍ର ୭ଟି ଥାନାକୁ ଖବର ଦିଆଯାଇଛି। ହେଲେ କୌଣସି ଥାନାରେ ମହିଳା ନିଖୋଜ ଥିବା ନେଇ କିଛି ବି ଖବର ମିଳିପାରି ନାହିଁ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular