ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଜେଲରୁ ମୁକ୍ତ ହୋଇ ପଦାକୁ ବାହାରି ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଶଶୀକଳା ଖୁବ୍ ଶୀଘ୍ର ‘ପୂର୍ଣ୍ଣକାଳୀନ’ ରାଜନୀତିକୁ ଫେରିବେ ବୋଲି ଆଜି ଘୋଷଣା କରିଛନ୍ତି। ସୋମବାର ଦିନ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା କାଳରେ ଶଶୀକଳା କହିଛନ୍ତି, ମୁଁ ଖୁବ ଶୀଘ୍ର ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ କରି ଆପଣମାନଙ୍କୁ ଭେଟିବି; ସବୁ ପ୍ରଶ୍ନର ଉତ୍ତର ରଖିବି। ଶଶୀକଳାଙ୍କ ଏହି ଘୋଷଣା ଏବେ ଏଆଇଏଡିଏମକେ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଏଆଇଏଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜେ ଜୟଲଳିତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଶଶୀକଳାଙ୍କୁ ୬୬.୬୫ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରା ଯାଇଥିଲା। କିନ୍ତୁ, ସେତେବେଳକୁ ସେ ଜୟଲଳିତାଙ୍କୁ ହାତବାରିସ କରି ଏଆଇଏଡିଏମକେ ଦଳ ମଧ୍ୟରେ ନିଜର ଅଖଣ୍ଡ ପ୍ରତିପତ୍ତି ବିସ୍ତାର କରିବା ସହ ଅମାପ ସଂପତ୍ତି ଜମାକରି ସାରିଥିଲେ। କିନ୍ତୁ, ଜୟଲଳିତାଙ୍କ ମୃତ୍ୟୁପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶଶୀକଳାଙ୍କୁ ଏଆଇଏଡିଏମକେରୁ ବହିଷ୍କାର କରାଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ ଶଶୀକଳା ଏଆଇଏଡିଏମକେ ପ୍ରତି ନିଜର ଆସ୍ଥା ପ୍ରକଟ କରି ଆସୁଥିଲେ। କିନ୍ତୁ, ପରିବର୍ତ୍ତିତ ପରିସ୍ଥିତି ତଥା ଜୟଲଳିତାଙ୍କ ଅବର୍ତ୍ତମାନରେ ଏଆଇଏଡିଏମ୍କେ ଦଳ ଆଉ ତାଙ୍କୁ ଗ୍ରହଣ କରିବାର ମାନସିକତାରେ ନଥିଲା; କିମ୍ବା ନାହିଁ ମଧ୍ୟ। ଏ ପରିସ୍ଥିତିରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବେଙ୍ଗାଲୁରୁ ଜେଲରେ ଚାରି ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ତାମିଲନାଡୁ ଫେରିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ। ଯଦିଓ ତାଙ୍କ ସମର୍ଥକମାନେ ତାଙ୍କର ଜେଲ ଫେରନ୍ତାକୁ ନେଇ ଖୁସି ଅଛନ୍ତି ଓ ତାଙ୍କୁ ସ୍ୱାଗତ କରିଛନ୍ତି; ତଥାପି ତାମିଲନାଡୁର ସମସ୍ତେ ତାଙ୍କ ଫେରିବାରେ ଖୁସି ନୁହଁନ୍ତି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0