କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାପାଟରେ ହାତୀ ମୃତ୍ୟୁକୁ ନେଇ ବଢ଼ିଲାଣି ଚିନ୍ତା। ଗତ ୧୨ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୪ ମାଈ ହାତୀ ଆଖି ବୁଜି ସାରିଥିବା ବେଳେ ଆଉ ଏକ ହାତୀ ଅସୁସ୍ଥ ଅଛି। ତେବେ କ’ଣ ପାଇଁ ଏହି ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ହେଉଛି, କାରଣ ଖୋଜିବାକୁ ଆଜି କର୍ଲାପାଟରେ ପହଞ୍ଚିଛି ୨ଜଣିଆ ବିଶେଷଜ୍ଞ ଟିମ। ଏହି ଟିମରେ ଭୁବନେଶ୍ୱର ଓୟୁଏଟିର କୋ-ଅର୍ଡିନେଟର ନିରଞ୍ଜନ ସାହୁ ଅଛନ୍ତି। ହାତୀ ମୃତ୍ୟୁର କାରଣ ସହ କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହୋଇଛି, ତାର ତଦନ୍ତ କରିବ ଏହି ଟିମ। ଏହି ଟିମ ସହ ଦକ୍ଷିଣାଞ୍ଚଳ ବନଖଣ୍ଡ ଡିଏଫଓ ଟି. ଅଶୋକ କୁମାର, କଳାହାଣ୍ଡି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଡେପୁଟି ଡାଇରେକ୍ଟର ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଆଜି ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ହେମ୍ରେଜ ସେଫ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଅନୁମାନ କରୁଛି ବନ ବିଭାଗ। ସେଫ୍ଟିସେମିଆ ରୋଗରୁ ଏପରି ହେଉଥିବା ଆଶଙ୍କା କରି ଏବେ ନିକଟସ୍ଥ ଗାଁଗୁଡ଼ିକରେ ଗାଈଗୋରୁଙ୍କୁ ଟିକା ଦିଆଯାଉଛଇ। ଏଥିସହ ନାଳ ପାଣିକୁ ବିଶୋଧନ କରାଯାଉଛି। ଏଥିସହ ଏହି ଅଭୟାରଣ୍ୟରେ ଖୁବ୍ ଶୀଘ୍ର ସିସିଟିଭି ଲାଗିବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0