ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ୨୨ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ ହେଉଛି ବିବନ ବିଶ୍ୱାଳ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ୧୯୯୯ ଜାନୁଆରୀ ୯ରେ ବାରଙ୍ଗ ନିକଟରେ ଘଟିଥିଲା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ । ସେବେଠୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପୂର୍ବରୁ ପଦିଆ ଓ ପୁନିଆଙ୍କୁ ଗିରଫ କରିଥିଲା ପୋଲିସ । ହାଇକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ। ସୂଚନାଯୋଗ୍ୟ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ୧୯୯୯ ମସିହାରେ ଓଡ଼ିଶାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଅପରାଧିକ ମାମଲା । ଅଞ୍ଜନା ମିଶ୍ର ୯ ଜାନୁଆରୀ ୧୯୯୯ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଦୁଃଖଦ ଘଟଣା ତତ୍କାଳୀନ ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାରେ ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ପରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।
ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅର୍ଥାତ୍ ୯ ଜାନୁଆରୀ ୧୯୯୯ ଦିନ ଅଞ୍ଜନା ତାଙ୍କରି ଜନୈକା ସାମ୍ବାଦିକା ବାନ୍ଧବୀଙ୍କ ସହ ଏକ କାର୍ରେ ଯାତ୍ରା କରୁଥିଲେ । ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପଥରୋଧ କରିବା ସହ ବାନ୍ଧବୀଙ୍କ ସାମନାରେ ଅଞ୍ଜନାକୁ ଗଣଦୁଷ୍କର୍ମ କରିଥିଲେ । ଏଘଟଣା ପ୍ରଘଟ ହେବା ପରେ ପୋଲିସ ତତ୍ପରତାର ସହ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କଲା । ହେଲେ ମୁଖ୍ୟ ଅଭୀଯୁକ୍ତ ଏଯାଏଁ ଧରାପଡ଼ିନଥିଲା ।
ପ୍ରେସମିଟ୍ରେ ଏନେଇ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ୩ ମାସ ତଳେ ସାଇଲେଣ୍ଟ ବାଇପର ଅଭିଯାନ ଆରମ୍ଭ କରାଯାଇଥିଲା। ଯାହା ସିବିଆଇ କରିପାରି ନଥିଲା ଆମେ ତାହା କରି ସଫଳ ହେଲୁ । ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ । ବିବନକୁ ଗିରଫ କରିବା ଓଡ଼ିଶା ପୁଲିସ୍ ପାଇଁ ବଡ଼ ସଫଳତା ବୋଲି କହିଲେ ସିପି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0