ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୩ୟ ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇଛି । ତେବେ ଭାରତ ଏହି ମ୍ୟାଚରେ ଭ୍ରମଣକାରୀ ଦଳକୁ ୧୦ ଉଇକେଟରେ ପରାସ୍ତ କରି ୨-୧ ବିଜୟ ସହିତ ସିରିଜରେ ଆଗୁଆ ରହିଛି। ଆଉ ଗୋଟିଏ ମ୍ୟାଚ୍ ବାକି ଥିବାବେଳେ ସିରିଜ ହାତେଇବା ଲାଗି ଭାରତକୁ ଅତି କମ୍ରେ ତାହାକୁ ଡ୍ର ରଖିବାକୁ ପଡ଼ିବ। ଅନ୍ୟପଟେ ସିରିଜକୁ ଡ୍ର କରିବା ଲାଗି ଭ୍ରମଣକାରୀ ଦଳକୁ ଶେଷ ମ୍ୟାଚ ଜିତିବାକୁ ହେବ। ବିଶ୍ଵର ସର୍ବବୃହତ୍ କ୍ରିକେଟ ଷ୍ଟାଡିୟମ ମାନ୍ୟତା ପାଇଥିବା ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମ ବୁଧବାର ଉଦ୍ଘାଟିତ ହେବା ସହିତ ଏଠାରେ ପ୍ରଥମ ଦିବାରାତ୍ର ପିଙ୍କ ବଲ୍ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଥିଲା। ସ୍ପିନରମାନଙ୍କୁ ସୁହାଉଥିବା ଏହି ପିଚ୍ରେ ଟେଷ୍ଟ ମ୍ୟାଚ ୨ଦିନ ବି ସମ୍ପୂର୍ଣ୍ଣ ହୋଇ ନ ଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨ ରନ୍ରେ ଅଲଆଉଟ୍ ହୋଇଯିବା ପରେ ଭାରତ ୧୪୫ ରନ୍ରେ ସମସ୍ତ ଉଇକେଟ୍ ହରାଇଥିଲା। ୨ୟ ଇନିଂସରେ ମଧ୍ୟ ଇଂଲଣ୍ଡ ଭଲ ପ୍ରଦର୍ଶନ କରିପାରି ନ ଥିଲା। ମାତ୍ର ୮୧ ରନ୍ରେ ଭ୍ରମଣକାରୀ ଦଳ ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସରେ ୩୩ ରନରେ ପଛୁଆ ଥିବା ଇଂଲଣ୍ଡ ଘରୋଇ ଦଳକୁ ମୋଟ ୪୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ପିଛା କରି ଭାରତ ୭.୪ ଓଭର ଖେଳି ବିନା କୌଣସି ଉଇକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0