spot_img

ଆଜି ବିଶ୍ୱ ନାଟକ ଦିବସ ଆସନ୍ତୁ ଜାଣିବା …

ଭୁବନେଶ୍ୱର : ଆମ ନାଟକ ଆମର ପରିଚୟ ,ଆମ ଲୋକକଳା ବିଶ୍ୱ ବିଖ୍ୟାତ , ସେଥିପାଇଁତ ସଞ୍ଜ ନଇଁଲେ ମଞ୍ଚରୁ ଭାସି ଆସେ ମଧୁର ସଂଳାପ । କେବେ ସୁଖର ହସ ତ’ କେବେ ଦୁଃଖର କୋହ , । କାହାଣୀ ମାଧ୍ୟମରେ କିଏ ସମାଜକୁ ସୁଧାରିବାର ବାର୍ତା ଦିଏ ’ ପୁଣି କିଏ ଇତିହାସକୁ ମନେପକାଇଦିଏ । କଥାରେ ଅଛି ଜୀବନ ଏକ ରଂଗମଂଚ ,ଏହି ରଂଗମଂଚରେ ଆମେ ଜଣେ ଜଣେ କଳାକାର | ନାଚ, ଗୀତ, ସାହିତ୍ୟ, ସଂସ୍କୃତି ଠାରୁ ଆରମ୍ଭ କରି ସମସ୍ତ କଳାର ମିଶ୍ରିତ ରୂପ ହେଉଛି ‘ନାଟକ’। ସେଥିପାଇଁ ଭରତ ମୁନି ନାଟକକୁ ‘ପଞ୍ଚମ ବେଦ’ ଅର୍ଥାତ୍‌ ୪ ବେଦର ସମାହାର ବୋଲି ବର୍ଣ୍ଣନା କରିଛନ୍ତି । ଯେତେବେଳେ ମଣିଷର ମନୋରଞ୍ଜନ ପାଇଁ କିଛି ମାଧ୍ୟମ ନ ଥିଲା, ସେତେବେଳେ ପାଲା, ଦାସକାଠିଆ,ଧୁଡୁକି ଭଳି ଲୋକକଳା ମନୋରଞ୍ଜନ ର ମାଧ୍ୟମ ଥିଲା । କିନ୍ତୁ ସମୟ ସହ ଏଗୁଡ଼ିକ ପୁରୁଣା ହେଲା । ଯୁବପିଢ଼ି ମୁହଁ ମୋଡ଼ିବାକୁ ଆରମ୍ଭ କଲେ । ଦର୍ଶକଙ୍କୁ କିଛି ନିଆରା ମନୋରଞ୍ଜନ ଦେବା ପାଇଁ କିଛି ନାଟ୍ୟକାର ପୌରାଣିକ କଥାବସ୍ତୁରେ ରସ ଛିଞ୍ଚି ଭିର୍ନ ମୋଡ ଦେବା ପାଇଁ ଚେଷ୍ଟା କଲେ। ଏଥିରୁ ଜନ୍ମ ନେଲା ‘ଆଧୁନିକ ଓଡ଼ିଆ ନାଟକ’। ସେବେଠାରୁ ଏହା ବେଶ୍‌ ଦର୍ଶକୀୟ ଆଦୃତି ପାଇଛି। ଗଣନାଟ୍ୟ ଓ ଯାତ୍ରା ପରେ ପରେ ରାସଦଳ ଛାଡି ପରିବର୍ତ୍ତନ ଧାରାରେ ପୁରୋଧା ସାଜିଥିଲେ କାଳୀଚରଣ ପଟ୍ଟନାୟକ । ଗଢା ହେଲା ଓଡ଼ିଶା ଥିଏଟର୍ସ । ନିଜ ଦଳ ଲାଗି ୩ ପ୍ରକାର ନାଟକ ପ୍ରସ୍ତୁତ କଲେ କାଳୀବାବୁ । ଯାହା -ପୌରାଣିକ ,ଐତିହାସିକ ଓ ସାମାଜିକ ନାଟକ ଭାବେ ପରିଚିତ ହେଲା । ପାଶ୍ଚାତ୍ୟ ଦେଶ ଗୁଡିକରେ ବାସ୍ତବବାଦର ପତନ ଘଟିସାରିଥିବା ବେଳେ କାଳୀଚରଣଙ୍କ ସାମାଜିକ ନାଟକରେ ଏହାର ପ୍ରତିଫଳନ ହୋଇଥିଲା । ୧୯୪୪ ମସିହା ଓଡ଼ିଆ ନାଟକ ପାଇଁ ଥିଲା ବିତର୍କର ବର୍ଷ । କାଳୀବାବୁଙ୍କ ନାଟକ “ଭାତ ମନୋରଞ୍ଜନ ଦାସଙ୍କ ନାଟକ ‘ଯୌବନ ଆଗରେ ପ୍ରତିଦ୍ୱନ୍ଦ୍ୱୀ ହୋଇ ଠିଆ ହେଲା ’ । ପରେ ପରେ ଗୋପାଳ ଛୋଟରାୟଙ୍କ ‘ଫେରିଆ’, ଭଞ୍ଜ କିଶୋର ପଟ୍ଟନାୟକଙ୍କ ‘ବେନାମୀ’ ଓ ରାମଚନ୍ଦ୍ର ମିଶ୍ରଙ୍କ ‘ମୂଲିଆ’ ପରିବେଶିତ ହେଲା ।ଷାଠିଏ ଓ ସତୁରୀ ଦଶକ ଥିଲା ଓଡ଼ିଆ ନାଟକ ପାଇଁ ସୁବର୍ଣ୍ଣଯୁଗ । ଏହି ସମୟରେ ଓଡ଼ିଆ ଥିଏଟର୍ସ, ଜନତା ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଓ ଏକାମ୍ର ଥିଏଟର୍ସ ପ୍ରଭୃତି ନିୟମିତ ନାଟକ ଦେଖିବାର ମଞ୍ଚ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ପରିଚାଳନାଗତ ତ୍ରୁଟି ଓ ସିନେମାର ପ୍ରଭାବ ରଂଗମଞ୍ଚର ଭିତ୍ତି ଦୋହଲାଇ ଦେଇଥିଲା । ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲାପରେ ସେଥିରୁ ତିଆରି ଓଡ଼ିଆ କଳାକାର ବହୁ ସାମାଜିକ ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିଲେ । ଏଇଠୁ ଆରମ୍ଭ ହୋଇଥିଲା ଅଙ୍ଗୀକାରବଦ୍ଧ ନାଟ୍ୟସଂସ୍ଥା । ଯଦିଓ ନାଟକ ପାଇଁ ଦୁର୍ଦ୍ଦିନର ସମୟ ଥିଲା ଅଶି ଦଶକ, ତଥାପି ଏହି ସମୟରେ ନାଟକକୁ ନେଇ ବହୁ ପରୀକ୍ଷା ନୀରିକ୍ଷା ଚାଲିଥିଲା । ଏବେ ଏହାର ସଂଗୀତ, ନୃତ୍ୟ,ପରିବେଶ, ପରିଚ୍ଛଦ, ଆଲୋକ, ମଞ୍ଚସଜା ଓ ଦୃଶ୍ୟସଜ୍ଜା ରେ ପରିବର୍ତ୍ତନ ଆସିଛି । ନାଟକର କାୟା ଓ ଛାୟା ବଦଳିଛି ।ସମସାମୟିକ ଧାରାରେ ସାମିଲ ହୋଇଛି ନାଟକ । ଏସବୁ ଭିତରେ ଯଦି ଆମେ ବର୍ତମାନ ସମୟରେ ନାଟକର ବଡ ସଫଳତା ଖୋଜିବା ତେବେ ତାହାର ମାଧ୍ୟମ ହେବ ଯାତ୍ରା | ଲୋକ ନାଟକ କ୍ଷେତ୍ରରେ ସବୁଠାରୁ ବ୍ୟବସାୟିକ ସଫଳତା ପାଉଥିବା ମାଧ୍ୟମ ହେଲା ଯାତ୍ରାନାଟକ । ଏକବିଂଶ ଶତାବ୍ଦୀର ଏହା ଏଭଳି ଏକ ମାଧ୍ୟମ ହୋଇ ରହିଛି ଯେଉଁଥିରେ କଳାକାରମାଙ୍କର ପାରିଶ୍ରମିକ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା ଅଭିନେତ୍ରୀମାନଙ୍କ ଠାରୁ କିଛି କମ୍ ନୁହେଁ । କିନ୍ତୁ ଏ କ୍ଷେତ୍ରରେ ସେମାନଙ୍କ ସାମାଜିକ ସ୍ଥିତି ଓ ସମ୍ମାନ କଥା ଚିନ୍ତା କଲାବେଳକୁ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଗାଁ ଗହଳୀରୁ କିମ୍ବା ସହର ଉପକଣ୍ଠରୁ ଆସିଥିବା ଏହି ଅଭିନେତ୍ରୀମାନେ ଘରସଂସାରଠୁ ନିଜକୁ ଦୂରେଇ ବର୍ଷତମାମ ଯାଯାବର ଜୀବନଯାପନ କରନ୍ତି | ଜୀବିକା ଭିତରେ ବୁଡ଼ି ରହି ନାଟକ ପାଇଁ ନିଜକୁ ଜଳାଞ୍ଜଳି ଦେଇ ଚାଲିଛନ୍ତି । ବର୍ଷ ଶେଷରେ କିଛି ରୋଜଗାର ଆଉ ଦର୍ଶକମାନଙ୍କ କରତାଳି ସେମାନଙ୍କର ଶ୍ରେୟ ଆଉ ଧ୍ୟେୟ । ଯେଉଁମାନେ ପ୍ରତିଭା ବାନ ବୋଲି ନିଜକୁ ପ୍ରମାଣିତ କରିବାରେ ସକ୍ଷମ ହେଲେ ଏବଂ ଦର୍ଶକମାନଙ୍କୁ ଅଭିନୟର ଯାଦୁରେ ବଶିଭୂତ କରିଦେଲେ ସେମାନେ ଯାତ୍ରା ଦଳ ମାଲିକମାନଙ୍କ ପଣ୍ୟଦ୍ରବ୍ୟ ପାଲଟିଲେ । ଅବଶ୍ୟ ଏଭଳି ପ୍ରତିଯୋଗିତା ଦ୍ୱାରା ଉଭୟ ଦର୍ଶକ ଏବଂ ଅଭିନେତା ଅଭିନେତ୍ରୀମାନେ, ଉଭୟ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇଛନ୍ତି | କିନ୍ତୁ ଏଯାଏ ଏହା ଶିଳ୍ପର ମାନ୍ୟତା ପାଇନାହିଁ | ଆଜି ବି ଓଡ଼ିଶାରେ ନାଟକର ସ୍ଥିତି ବେଶ୍‌ ସୁଦୃଢ଼ ଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ଅଭାବ ନାଟକ ଓ ନାଟ୍ୟ କଳାକାରଙ୍କୁ ପଙ୍ଗୁ କରିବାକୁ ବସିଲାଣି | ଆମେ ଆଶା କରୁଛୁ ନାଟକ ଓ ଲୋକକଳାର ସୁରକ୍ଷା ପାଇଁ ସରକାର ଆଗେଇ ଆସିବେ | ଆମ ପରିଚୟ କୁ ବିଶ୍ୱ ଦରବାରରେ ଅକ୍ଷୁର୍ଣ୍ଣ ରଖିବାରେ ସହାୟକ ହେବେ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular