ବାଂଲାଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶହଶହ ବର୍ଷର ପୁରୁଣା ଜେଶୋରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।ମନ୍ଦିରଟି ବାଂଲାଦେଶର ଶତକ୍ଷିରା ଜିଲ୍ଲାରେ ରହିଛି। ଭାରତୀୟ ସୀମାକୁ ଲାଗି ରହିଥିବା ଈଶ୍ୱରୀପୁର ଗାଁରେ ଥିବା ଏହି ମନ୍ଦିରକୁ ଉଭୟ ଦେଶର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଯାଆନ୍ତି। ମୋଦି ବାଂଲାଦେଶ ଯାଇଥିବାରୁ ଆଜି ସକାଳୁ କାଳୀ ମନ୍ଦିରକୁ ଯାଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ମୋଦି ଆଜି ମନ୍ଦିର ପାଖରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ରୀତିନୀତିରେ ବାଜା ବଜାଇ ସ୍ୱାଗତ କରାଯାଇଥିଲା। ଏହାପରେ ସେ ମନ୍ଦିର ଚଟାଣରେ ବସି ପୂଜା ଆରମ୍ଭ କରିଥିଲେ। ସେ ମା’ଙ୍କ ମଥାରେ ହାତ ତିଆରି ମୁକୁଟ ଲଗାଇଛନ୍ତି। ଏହି ମୁକୁଟଟି ରୁପାରେ ତିଆରି ହୋଇଥିବା ବେଳେ ଏହା ଉପରେ ସୁନାର ଛାଉଣୀ କରାଯାଇଛି। ଏହାକୁ ତିଆରି କରିବା ପାଇଁ ପ୍ରାୟ ୩ ସପ୍ତାହ ସମୟ ଲାଗିଥିଲା। କରୋନାରୁ ଦୁନିଆକୁ ମୁକ୍ତି ଦେବା ପାଇଁ ମା’ କାଳୀଙ୍କୁ ପ୍ରାର୍ଥନା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାଳୀ ମନ୍ଦିରରେ ଏକ କମ୍ୟୁନିଟି ହଲ ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ସେ କହିଛନ୍ତି । ଏହି କମ୍ୟୁନିଟି ହଲ ଦ୍ୱାରା ଭକ୍ତ ଉପକୃତ ହେବା ସହ ବାତ୍ୟା ସମୟରେ ଏହା ଆଶ୍ରୟସ୍ଥଳୀ ଭାବେ କାର୍ୟ୍ୟ କରିବ ବୋଲି ସେ କହିଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0