ନୂଆଦିଲ୍ଲୀ: କ୍ରିକେଟର ଅନିଲ କୁମ୍ବଲେଙ୍କ ଜୀବନରେ ନୂଆମୋଡ ଦେଖା ଆସିପାରେ। ଟି-୨୦ ବିଶ୍ବ କପ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ ଏବଂ ଏହାପରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ପଦବି ପାଇଁ ଅନିଲ କୁମ୍ବଲେଙ୍କୁ ମଧ୍ୟ ଆବେଦନ କରିବାକୁ କହିପାରେ। ତେବେ ଏହି ଦୌଡ଼ରେ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ରହିବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ଅନିଲ କୁମ୍ବଲେ ୨୦୧୬ରୁ ୨୦୧୭ ବର୍ଷେ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିଲେ। ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି ଅନିଲଙ୍କୁ ଶାସ୍ତ୍ରୀଙ୍କ ସ୍ଥାନରେ ନିଯୁକ୍ତି ଦେଇଥିଲା।
ତେବେ ଅଧିନାୟକ ବିରାଟ କୋହଲିଙ୍କ ସହିତ କୁମ୍ବଲେଙ୍କ କୌଣସି ଏକ କାରଣରୁ ମତାନ୍ତର ହୋଇଥିଲା। ଏହାପରେ ଅନିଲ କୁମ୍ବଲେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ଭାରତୀୟ ଦଳ ହାରିବା ପରେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ।
ସେହିପରି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବି ପାଇଁ କୁମ୍ବଲେଙ୍କ ସହିତ ଭିଭିଏସ୍ ଲକ୍ଷ୍ମଣଙ୍କୁ ମଧ୍ୟ ବିସିସିଆଇ ସମ୍ପର୍କ କରିପାରେ। ଲକ୍ଷ୍ମଣ ଗତ କିଛିବର୍ଷ ହେବ ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମେଣ୍ଟର ରହିଛନ୍ତି। ତେବେ ଅନିଲ କୁମ୍ବଲେ ହିଁ ବିସିସିଆଇର ପ୍ରଥମ ପସନ୍ଦ ରହିଥିବା କୁହାଯାଉଛି।
ଏଥିସହିତ ଆଉ ଏକ ଖବର ସାମ୍ନାକୁ ଆସିଛି କି, କୁମ୍ବଲେଙ୍କ ସହିତ ସେହି ସମୟରେ ଯେଉଁ ଅନ୍ୟାୟ କରାଯାଇଥିଲା ତାକୁ ସୁଧାରିବାକୁ ଚାହୁଁଛି ବିସିସିଆଇ। ସେତେବେଳେ ସିଓଏ କୋହଲିଙ୍କ ଚାପରେ ଆସି ଯେଭଳି ଭାବେ ଅନିଲଙ୍କୁ ମୁଖ୍ୟ କୋଚ୍ ପଦବରୁ ବାହାରି କରିଥିଲା, ତାହା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା। ତେବେ କୁମ୍ବଲେ ଓ ଲକ୍ଷ୍ମଣ ଏହି ପଦ ପାଇଁ ଆବେଦନ କରିବେ କି ନାହିଁ, ତାହା ସେମାନଙ୍କ ଉପରେ ନିର୍ଭର କରେ। ସେହିପରି ଦେଖିବାକୁ ଗଲେ ଟି-୨୦ ବିଶ୍ୱକପ୍ ପରେ ଅଧିନାୟକ ପଦ ଛାଡ଼ିବା ପାଇଁ ବିରାଟ କୋହଲି ଘୋଷଣା କରି ସାରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0