ଟିକାକରଣ ପରେ ଏବେ ରାଜ୍ୟରେ କରୋନା ସଂକ୍ରମଣ କମ ହୋଇଥିବା ବେଳେ ଏହାକୁ ବଜାୟ ରଖିବା ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଆଗକୁ ଶୀତ ଦିନ ଆସୁଥିବା ବେଳେ ସଂକ୍ରମଣ ଅଧିକ ହେବାର ଆଶଙ୍କା କରି ବିଏମସି ପକ୍ଷରୁ ଶୀତଦିନରେ ବିବାହ, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟକ୍ରମ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନରେ, ବିବାହ ମଣ୍ଡପ ବା ହୋଟେଲକୁ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଛେପ ନପକାଇବା ପାଇଁ କୁହାଯାଇଛି। ଏହି କଟକଣାକୁ ଉଲଂଘନ କଲେ ଉଲଂଘନକାରୀ ଏବଂ ମଣ୍ଡପ ବା ହୋଟେଲ ମାଲିକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କହିଛି। ଏହି ନିୟମ ପାଳନ ହେଉଛି କି ନାହିଁ ସେ ନେଇ ଦୃଷ୍ଟି ଦେବାକୁ ସ୍ଥାନୀୟ ପୁଲିସ ଓ ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡକୁ କହିଛନ୍ତି ବିଏମସି କମିସନର ସଞ୍ଜୟ ସିଂ। କାର୍ଯ୍ୟକ୍ରମରେ ୫୦ଜଣରୁ ଅଧିକ ଲୋକ ରହିଛନ୍ତି କି ନାହିଁ ତା’ଉପରେ ଦୃଷ୍ଟି ଦେବେ ମଣ୍ଡପ ବା ହୋଟେଲ ମାଲିକ। କରୋନାର ଲକ୍ଷଣ ଥିଲେ ସେମାନଙ୍କୁ ମଣ୍ଡପ ବା ହୋଟେଲକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ୬୦ରୁ ଉର୍ଦ୍ଧ୍ବ ବ୍ୟକ୍ତି, ୧୦ବର୍ଷରୁ କମ ଶିଶୁ, ଗର୍ଭବତୀ ଥିବା ମହିଳା ଏବଂ ଅନ୍ୟ ଗମ୍ଭୀର ଶାରୀରିକ ସମସ୍ୟା ଥିବା ଲୋକଙ୍କୁ ଏଭଳି କାର୍ଯ୍ୟକ୍ରମଣକୁ ଯିବାକୁ ବାରଣ କରିଛି ବିଏମସି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0