ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଗୋଟିଏ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୋଟିଏ ଏସ୍ୟୁଭି କେମିତି ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ି ଯାଉଛି, ତା’ର ଦୃଶ୍ୟ ରହିଛି। ଭିଡିଓର ସତ୍ୟତା ବିଷୟରେ ଜଣାପଡ଼ିନି। କିନ୍ତୁ ଏଥିରେ ଥିବା ଦୃଶ୍ୟ ବେଶ ହୃଦୟ ବିଦାରକ। ଉତ୍ତର ପ୍ରଦେଶର ପିଲିଭିଟରୁ ସାଂସଦ ହୋଇଥିବା ବରୁଣ ଗାନ୍ଧି କହିଛନ୍ତି, “ଲଖିମପୁର ଖେରିରେ ଗାଡ଼ି ମଡ଼ାଇ ଚାଷୀଙ୍କୁ ଦଳି ଦେବାର ଏହି ଭିଡିଓ ଯେକୌଣସି ଲୋକଙ୍କର ଆତ୍ମାକୁ ଦୋହଲାଇ ଦେବ। ପୁଲିସ୍ ତୁରନ୍ତ ଏହି ଭିଡିଓକୁ ବିଚାରକୁ ନେଉ। ଏଥିସହ ଗାଡ଼ିର ମାଲିକ, ସେଥିରେ ବସିଥିବା ଲୋକ ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶଷଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରୁ।” ବିଜେପିର ଏକମାତ୍ର ସାଂସଦ ବରୁଣ ଗାନ୍ଧି ଖୋଲାଖୋଲି ଭାବେ ଘଟଣାକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତଦନ୍ତ ପାଇଁ ଚିଠି ଲେଖିଛନ୍ତି। ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍ ଗୋଟିଏ କଳା ରଙ୍ଗର ଜିପ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ି ଚାଲିଯିବା ପରେ ଲୋକମାନେ ଏଣେତେଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି। ପ୍ରଥମେ ଏହାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧି ଭଦ୍ରା ଟ୍ୱିଟ କରିଥିବା ବେଳେ ଏବେ ବିଜେପି ସାଂସଦ ବରୁଣ ଗାନ୍ଧି ଶେୟାର କରିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0