ଭୁବନେଶ୍ୱର: ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାକୁ ନେଇ ଲାଗି ରହିଛି ବିବାଦ । ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ପରୀକ୍ଷା ବାତିଲ୍ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲାବେଳେ ପରୀକ୍ଷା ସପକ୍ଷରେ ୟୁଜିସି ତା’ର ଯୁକ୍ତିରେ ଅଟଳ ରହିଛି। ଗତକାଲି ଏନେଇ ସୁୂପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିବା ବେଳେ ପରବତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବ । କୋର୍ଟରେ ମାମଲାର ଶୁଣାଣି ଚାଲିଛି ବୋଲି ପରୀକ୍ଷା ବନ୍ଦ ହୋଇଗଲା ବୋଲି ଛାତ୍ରଛାତ୍ରୀମାନେ ଭାବନ୍ତୁ ନାହିଁ। ବରଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ୟୁଜିସି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି।
ଗତ ଜୁଲାଇ ୬ ତାରିଖରେ ୟୁଜିସି ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଚିଠି ଲେଖାଯାଇ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଶେଷ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଓଡ଼ିଶା ସମେତ ଦିଲ୍ଲୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡ଼ୁ ପ୍ରମୁଖ ରାଜ୍ୟ ଏହାର ବିରୋଧ କରିଥିଲେ। ୟୁଜିସି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଏହା ବିରୋଧ କରୁଛି ବୋଲି କୁହାଯାଇଥିଲା। ଏପ୍ରିଲ୍ ୨୯ ତାରିଖରେ ୟୁଜିସି ପକ୍ଷରୁ କୁହାଯାଇଥିଲା ଯେ ରାଜ୍ୟ ସରକାର କୋଭିଡ୍ ସ୍ଥିତି ଅନୁଧ୍ୟାନ କରି ବିଶ୍ବବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଜେ ନିଷ୍ପତ୍ତି ନେଇପାରିବେ। ସେହି ଅନୁଯାୟୀ ଓଡ଼ିଶା ସମେତ କିଛି ରାଜ୍ୟ ଶେଷ ବର୍ଷ ସେମିଷ୍ଟର୍ ପରୀକ୍ଷାକୁ ବାତିଲ୍ କରି ପୂର୍ବ ସେମିଷ୍ଟର୍ରେ ପାଇଥିବା ନମ୍ବରକୁ ଆଧାର କରି ଫଳ ପ୍ରକାଶ ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୟୁଜିସିର ଜୁଲାଇ ୬ ତାରିଖ ଚିଠି ସରକାରଙ୍କୁ ଅଡ଼ୁଆରେ ପକାଇଥିଲା। ୟୁଜିସି ତା’ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରାଯାଇଥିଲା। ଓଡ଼ିଶା ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ଚିଠି ଲେଖି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0