କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସ୍କୁଲ୍ର ସଭାପତି ଗୋବିନ୍ଦ ସାହୁ ଗିରଫ ହୋଇସାରିଛନ୍ତି। ଗୋବିନ୍ଦ ସାହୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ତାଙ୍କର ସହଯୋଗୀ ରାଧେ ଚଣ୍ଡୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ମାମଲାରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେବାକୁ କ୍ୟାପିଟାଲ ଥାନା ଯାଇଥିଲେ। ସେମାନଙ୍କୁ ପୁଲିସ୍ ଅଟକାଇଥିଲା। ତେବେ ସେମାନେ ଥାନା ଭିତରକୁ ଧଶେଇ ପଶିଥିଲେ ଓ ତା’ସହିତ ନାରାବାଜି କରିଥିଲେ। ସେମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନାରାବାଜି କରିଥିଲେ। ରାଜ୍ୟ ମହିଳା କଂଗ୍ରେସର ଏକ ଟିମ୍ ଆଜି ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। କାହା ଇଙ୍ଗିତରେ କେ.ଗାଁ ଥାନାରେ ପ୍ରଥମେ ମମିତା ମେହେରଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖାଯାଇନଥିଲା ବୋଲି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା। ମନ୍ତ୍ରୀଙ୍କୁ ଘଣ୍ଟ ନ ଘୋଡ଼ାଇବା ପାଇଁ ସରକାରଙ୍କୁ ଆହ୍ୱାନ ଦେଇଛି ଦଳ। ଏହା ସହିତ ଘଟଣାର ସିବିଆଇ ତଦନ୍ତ କରାଇଲେ ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରିବ ବୋଲି ବିଜେପି ଯୁବ ମୋର୍ଚ୍ଚା କହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0